ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ବିଜେପି ମୁଖ୍ୟାଳୟ ଚାନ୍ଦା ତଥ୍ୟ ଦେଲା ନାହିଁ କାହିଁକି ?

ସତ୍ୟପାଠ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲାନି ଭାରତୀୟ ଜନତା ପାର୍ଟି । ନିର୍ଦ୍ଧାରିତ ସମୟ ସୀମା ଭିତରେ ନିର୍ବାଚନ କମିଶନଙ୍କ ପାଖରେ ଦଳ ଦାଖଲ କଲା ନାହିଁ ଆୟ ସମ୍ପର୍କିତ ତଥ୍ୟ । ସୂଚନା ଅଧିକାର ଆଇନ ବଳରେ ଏଭଳି ବଡ ତଥ୍ୟ ସାମ୍ନାକୁ ଆସିଛି । ୬୦ଟି ରାଜନୈତିକ ଦଳ ଇଲେକ୍ଟୋରାଲ ବଣ୍ଡରେ ନିଜ ଆୟ ସମ୍ପର୍କରେ ଇସିଙ୍କ ନିକଟରେ ତଥ୍ୟ ଦେଇଥିବା ବେଳେ ବିଜେପି କିନ୍ତୁ ନିଜର ତଥ୍ୟ ଦାଖଲ କରି ନାହିଁ । ଯାହାକୁ ନେଇ ଉଠିଛି ବିବାଦ ।

ସୂଚନା ଅଧିକାରରେ ମିଳିଥିବା ତଥ୍ୟ ଅନୁସାରେ, ପାଖାପାଖି ୬୦ଟି ରାଜନୈତିକ ଦଳ ପାଇଥିବା ଡୋନେସନର ବିବରଣୀ ଇସିଙ୍କ ନିକଟରେ ଦାଖଲ କରିଛନ୍ତି । ଯଦିଓ ଏହାକୁ ଖୋଲିବାକୁ ଇସିଙ୍କୁ ସୁପ୍ରିମକୋର୍ଟ କ୍ଷମତା ଦେଇ ନାହାଁନ୍ତି କିନ୍ତୁ କେଉଁ ଦଳ ଦାଖଲ ବିବରଣୀ ଦାଖଲ କରିଛନ୍ତି ତାହାର ସୂଚନା ମିଳିଛି ।

ବଡକଥା ହେଲା ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟ ଡୋନେସନ ସମ୍ପର୍କିତ ବିବରଣୀ ଦାଖଲ କରିନାହିଁ । ଦେଶର ସବୁଠାରୁ ବଡ ଦଳ ଓ ଶାସନ କ୍ଷମତାରେ ରହିଥିବା ପାର୍ଟି କିଭଳି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିଲା ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେଉଁ ଦଳ କେତେ ଟଙ୍କା କେଉଁ ଉତ୍ସରୁ ଆଦାୟ କରୁଛନ୍ତି ତାହା ଜାଣିବା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି । ଅଥଚ କ୍ଷମତାସୀନ ଦଳ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବି ମାନିବାକୁ ରାଜି ନଥିବା ଭଳି ଲାଗୁଛି । କେବଳ ସେତିକି ନୁହେଁ, ପାର୍ଟିର ତ୍ରିପୁରା ପ୍ରଦେଶ ୟୁନିଟ୍ ଜୁନ ୩ ତାରିଖରେ ତଥ୍ୟ ଦାଖଲ କରିଥିବା ବେଳେ କେନ୍ଦ୍ରୀୟ କାର୍ଯ୍ୟାଳୟ କୌଣସି ତଥ୍ୟ ଦାଖଲ କରି ନଥିବା ସୂଚନା ଅଧିକାର ବଳରେ ଜଣାପଡିଛି ।

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ଆନୁଆଲ୍ ଅଡିଟ୍ ରିପୋଟରେ ୨୦୧୭-୧୮ ବର୍ଷରେ ସର୍ବାଧିକ ପରିମାଣର ବଣ୍ଡ ଯାଇଥିଲା ବିଜେପିକୁ । ମାର୍ଚ୍ଚ ୨୦୧୮ରେ ୨୨୨କୋଟିର ଇଲେକ୍ଟୋରାଲ ବଣ୍ଡ ବିକାଯାଇଥିବା ବେଳେ କେବଳ ବିଜେପିକୁ ଯାଇଥିଲା ୨୧୦ କୋଟି । କିନ୍ତୁ ୨୦୧୯ବର୍ଷର କୌଣସି ତଥ୍ୟ ଦେଇ ନାହିଁ ଦଳ ।

ଭାରତୀୟ ଜନତା ପାର୍ଟି ଭଳି ଆଉ କିଛି ରାଜନୈତିକ ଦଳ ଏହି ତଥ୍ୟ ଦାଖଲ କରି ନାହାଁନ୍ତି । ନ୍ୟାସନାଲ କନଫରେନ୍ସ (ଏନସି), ପିପୁଲ୍ସ ଡେମୋକ୍ରେଟିକ୍ ପାର୍ଟି ( ପିଡିପି), ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) , ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଏବଂ ୱାଇଏସ୍ଆର୍ କଂଗ୍ରେସ ପ୍ରମୁଖ ରାଜନୈତିକ ଦଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି କୌଣସି ତଥ୍ୟ ଦାଖଲ କରି ନଥିବା ଜଣାପଡିଛି ।

ଭାରତୀୟ ଜାତୀୟ କଂଗ୍ରେସ ଜୁନ ୧୮ ତାରିଖରେ ତଥ୍ୟ ଦାଖଲ କରିଛି । 
୩୦ ତାରିଖ ଶେଷ ତାରିଖ ଥିବା ବେଳେ ଜୁନ ୧୮ରେ ଦାଖଲ କରିଛି ଦଳ । 
ନିମ୍ନରେ ଆଉ କିଛି ରାଜନୈତିକ ଦଳ କେଉଁ ଦିନ ତଥ୍ୟ ଦାଖଲ କରିଛନ୍ତି ତାହା ଉଲ୍ଲେଖ କରାଗଲା ।

• ବହୁଜନ ସମାଜବାଦି ପାର୍ଟି - ମଇ ୩୦
• ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ- ମଇ ୩୦
• କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ- ମଇ ୨୩
• କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ଏମ୍)- ଜୁନ ୮
• ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି- ମଇ ୩୦
• ଶିବସେନା-ମଇ ୨୮
• ତେଲେଙ୍ଗାନା ରାଷ୍ଟ୍ର୍ର ସମିତି- ମଇ ୩୦
• ସମାଜବାଦି ପାର୍ଟି- ମଇ ୩୦

ତେବେ ଦାଖଲ ହୋଇଥିବା ସିଲ୍ କଭରରେ ବିଜେପିର ତ୍ରିପୁରା ପ୍ରଦେଶର ତଥ୍ୟ ଅଛି କି କେନ୍ଦ୍ରୀୟ ୟୁନିଟର ତଥ୍ୟ ଅଛି ତାହା ଖୋଲିବା ପରେ ହିଁ ଜଣାପଡିବ । କିନ୍ତୁ ପ୍ରଶ୍ନ ଉଠିବା ସ୍ୱାଭାବିକ, ନିର୍ଦ୍ଦେଶ ଅନୁସାରେ ସବୁ ରାଜନୈତିକ ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ତଥ୍ୟ ଦେବା କଥା ତେବେ ବିଜେପିର ଏକ ପ୍ରଦେଶ ଏହାର ହିସାବ ଦେଇଛି କାହିଁକି ?

କେଉଁ ଦଳ କେତେ ପରିମାଣର ଡୋନେସନ ପାଇଛି ତାହାର ଏକ ବିବରଣୀ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଗତ ଏପ୍ରିଲ ୧୨ ତାରିଖରେ ସୁପ୍ରିମକୋର୍ଟଙ୍କ ଅନ୍ତଃରୀଣ ଆଦେଶ ମୁତାବକ, ସବୁ ରାଜନୈତିକ ଦଳ ଇଲେକ୍ଟୋରାଲ ବଣ୍ଡ ଦ୍ୱାରା ପାଇଥିବା ଡୋନେସନର ବିବରଣୀ ସିଲ୍ କଭରରେ ଦାଖଲ କରିବେ । ମଇ ୩୦ ଏହାକୁ ଦାଖଲ କରିବାର ଶେଷ ତାରିଖ ଥିବା ବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏଭଳି କିଛି ତଥ୍ୟ ଦାଖଲ କରାଯାଇ ନଥିବା ସୂଚନା ଅଧିକାରରେ ଜଣାପଡିଛି ।

ଦି କୁଇଣ୍ଟ ଡଟ୍ କମ୍ ରେ ଏହି ଖବର ପ୍ରଥମେ ପ୍ରକାଶ ପାଇଥଲା । ସେହି ଖବର ଓ ତଥ୍ୟ ଆଧାରରେ ଏହି ରିପୋର୍ଟଟି ପ୍ରସ୍ତୁତ କରାଯାଇଛି ।

Related Posts