ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ଲାଗି କର୍ଣ୍ଣାଟକରେ ଏମ.ନାଗରାଜଙ୍କୁ ପ୍ରାର୍ଥୀ କଲା ବିଜେପି । ତେବେ ବିଜେପି ସହଯୋଗୀ ଜନତାଦଳ (ଏସ) ଆଶା କରୁଥିଲା ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ସୁପ୍ରିମୋ ଏଚ.ଡି.ଦେବେଗୌଡା ପୁଣି ଥରେ ରାଜ୍ୟସଭାକୁ ମନୋନୀତ ହେବେ। ଏବେ ରାଜ୍ୟସଭା ନିର୍ବାଚନ ଲାଗି ବିଜେପିର ପ୍ରାର୍ଥୀ ଘୋଷଣା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ କାର୍ଯ୍ୟକାଳ ସ୍ୱପ୍ନ ଭାଙ୍ଗି ଯାଇଛି।ପ୍ରଫେସର ଏମ.ନାଗରାଜଙ୍କୁ ରାଜ୍ୟସଭା ନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ କରିଛି। ସେହିପରି ଲିଙ୍ଗରାଜ ପାଟିଲ ଓ ରଘୁ କୌଟିଲ୍ୟଙ୍କୁ କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ ଲାଗି ଦଳ ପକ୍ଷରୁ ପ୍ରାର୍ଥୀ ଚୟନ କରାଯାଇଛି। ହୁବଲୀ-ଧାରୱାଡରୁ ବିଜେପିର ବରିଷ୍ଠ ନେତା ପ୍ରଫେସର ଏମ.ନାଗରାଜଙ୍କର ଶିକ୍ଷା, ପ୍ରଶାସନ ଓ ରାଜନୀତିର ବ୍ୟାପକ ଅଭିଜ୍ଞତା ରହିଛି।

ବିଜେପିରେ ଯୋଗଦେବା ପୂର୍ବରୁ ସେ ଏବିଭିପି ଓ ଆରଏସଏସ୍ ରେ ସକ୍ରିୟ ଥିଲେ। ପରେ ସେ ପାର୍ଟି ପ୍ରଦେଶ ଉପସଭାପତି ଭାବେ କାର୍ଯ୍ୟ କରିଥିଲେ। ସେ କର୍ଣ୍ଣାଟକ ଲୋକସେବା ଆୟୋଗ (କେପିଏସସି) ସଦସ୍ୟ ମଧ୍ୟ ଥିଲେ।ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ସୁମାଲଥା ଅମ୍ବରିଶ ମଧ୍ୟ ରାଜ୍ୟସଭା ଆସନ ଲାଗି ଆଶାୟୀ ଥିଲେ। ତାଙ୍କ ସମର୍ଥକ ତାଙ୍କୁ ରାଜ୍ୟସଭା ପଠାଇବାକୁ ଦାବି କରୁଥିଲେ। ତେବେ ତାଙ୍କୁ ନିରାଶ ହେବାକୁ ପଡିଛି।