ବିଜେପି ଗଣତନ୍ତ୍ର ଉପରେ ବିଶ୍ୱାସ ହରାଇଛି ଓ ଧନବଳ ରାଜନୀତିରେ ବିଶ୍ୱାସ କରୁଛି : ହେମନ୍ତ ସୋରେନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ଝାଡ଼ଖଣ୍ଡରେ ସରକାର ଭାଙ୍ଗିବା ଚକ୍ରାନ୍ତ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ସେ କହିଛନ୍ତି ଯେ ଏସବୁକିଛି ପଛରେ ବିଜେପି ରହିଛି। ଏକ ଘରୋଇ ଟିଭି ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ବିଜେପି ଚାହୁଁଛି ଯେ ଦେଶରେ ଅନ୍ୟ କୌଣସି ଦଳ କିମ୍ବା ବ୍ୟକ୍ତି କ୍ଷମତାରେ ନରହନ୍ତୁ ।

ଆମେ ଝାଡ଼ଖଣ୍ଡରେ କ୍ଷମତାରେ ଥିବାରୁ ବିଜେପି ଆମ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛି। କିନ୍ତୁ ଲୋକମାନେ ଆମକୁ ନିର୍ବାଚିତ କରିଛନ୍ତି। ସେମାନଙ୍କର ପ୍ରତ୍ୟେକ ଆଶା ପୂରଣ କରିବାକୁ ଆମେ ସର୍ବଦା ଚେଷ୍ଟା କରିବୁ। ସୋରେନ କହିଛନ୍ତି ଯେ ଝାଡଖଣ୍ଡରେ କଂଗ୍ରେସ ବିଧାୟକମାନଙ୍କୁ ଟଙ୍କା ଦେବା ପଛରେ କ’ଣ ରହସ୍ୟ ରହିଛି ଏବଂ କେଉଁ ଷଡଯନ୍ତ୍ର କରାଯାଇଛି ତାହାର ତଦନ୍ତ ପଣ୍ଚିମବଙ୍ଗ ସିଆଇଡି କରୁଛି। ତେବେ ତିନି ଜଣ କଂଗ୍ରେସ ବିଧାୟକ ଜେଲରେ ଅଛନ୍ତି ଏହା ଚିନ୍ତାର ବିଷୟ। ଏହି ପ୍ରୟାସ ଦୀର୍ଘ ସମୟ ଧରି ଚାଲିଥିଲା । ବର୍ତ୍ତମାନ ଅନୁସନ୍ଧାନ ପରେ ଏସମ୍ପର୍କରେ ସବୁ ଜଣା ପଡିବ। ଏହି ପ୍ରୟାସ ବିଜେପି ଶିବିରରୁ ଆରମ୍ଭ ହୋଇଛି ବୋଲି ସୋରେନ୍‌ କହିଛନ୍ତି।

ବିଜେପି ଗଣତନ୍ତ୍ର ଉପରେ ବିଶ୍ୱାସ ହରାଇଛି। ବର୍ତ୍ତମାନ ସେ ଧନବଳ ରାଜନୀତି ଉପରେ ଅଧିକ ନିର୍ଭର କରୁଛି। ଯେତେବେଳେ ସୋରେନଙ୍କୁ ପଚରାଯାଇଥିଲା ଯେ ସେ ବିଜେପିକୁ ଭୟ କରୁଛନ୍ତି କି? ସେ କହିଛନ୍ତି, ‘ ବିଜେପି ଏକ ରାଜନୈତିକ ଦଳ ଏବଂ ଆମେ ମଧ୍ୟ ଏକ ରାଜନୈତିକ ଦଳ ଏଥିରେ ଭୟଭୀତ ହେବାର ନାହିଁ କିମ୍ବା ଭୟ କରିବାର କିଛି ନାହିଁ। ଏହା ରାଜନୈତିକ ଶକ୍ତି ପ୍ରଦର୍ଶନ କରିବାର ବିଷୟ।

Related Posts