କୁମାର ବିଶ୍ୱାସଙ୍କୁ ରାଜ୍ୟସଭା ପଠାଇବ ବିଜେପି!

ଭୁବନେଶ୍ୱର,୬/୨ (ସତ୍ୟପାଠ ବ୍ୟୁରୋ): ଲୋକପ୍ରିୟ ହିନ୍ଦୀ କବି ତଥା ପୂର୍ବତନ ଆମ ଆଦମୀ ପାର୍ଟି ନେତା କୁମାର ବିଶ୍ୱାସ ଯାଇପାରନ୍ତି ରାଜ୍ୟସଭା । ଉତ୍ତରପ୍ରଦେଶରୁ କୁମାରଙ୍କୁ ରାଜ୍ୟସଭା ପଠାଇପାରେ ଭାରତୀୟ ଜନତା ପାର୍ଟି । ମିଳିଥିବା ସୂଚନା ମୁତାବକ, ୟୁପିର ୭ଟି ରାଜ୍ୟସଭା ସିଟ୍ ପାଇଁ ୩୫ଟି ନାଁକୁ ପ୍ରସ୍ତୁତ କରାଯାଇଛି । ଯାହା ଭିତରେ ବିଜେପିର ଲୋକପ୍ରିୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀଙ୍କ ସହିତ କବି କୁମାର ବିଶ୍ୱାସଙ୍କ ନାଁ ମଧ୍ୟ ଥିବା ଚର୍ଚ୍ଚା ହେଉଛି ।

ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଙ୍କ ଆବାସରେ ବିଜେପି କୋର୍ କମିଟିର ବୈଠକ ବସିଥିଲା । ଏହି ବୈଠକରେ କେଉଁ ମାନଙ୍କୁ ରାଜ୍ୟସଭା ପଠାଯିବ, ସେନେଇ ବିସ୍ତୃତ ଭାବେ ଆଲୋଚନା ହେଇଛି । ରାଜ୍ୟସଭାର ୭ଟି ସିଟ୍ ପାଇଁ ୩୫ ଜଣଙ୍କ ନାଁ ଚୟନ କରାଯାଇଛି । ଏହି ୩୫ ଜଣଙ୍କ ଭିତରୁ ୭ ଜଣଙ୍କୁ ହିଁ ବିଜେପି ରାଜ୍ୟସଭା ପଠାଇବ । ଏହି ଲିଷ୍ଟ ଭିତରେ ସୁଧାଂଶୁ ତ୍ରିବେଦୀଙ୍କ ସହିତ କୁମାର ବିଶ୍ୱାସଙ୍କ ନାଁ ଥିବା କୁହାଯାଉଛି । ଖାଲି ସେତିକି ନୁହେଁ, ଯଦି ବି କୁମାର ବିଶ୍ୱାସ ରାଜ୍ୟସଭା ନ ଯାଆନ୍ତି ତେବେ ଭବିଷ୍ୟତରେ ସେ ଲୋକସଭା ନିର୍ବାଚନ ମଧ୍ୟ ଲଢିପାରନ୍ତି ବୋଲି କୁହାଯାଉଛି । ବିଜେପି ଟିକେଟରୁ ସେ ୟୁପିର ଗାଜିଆବାଦ୍ ଲୋକସଭା ସିଟରେ ପ୍ରତିଦ୍ୱନ୍ଦିତା କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ଏଥର ରାଜ୍ୟସଭାରୁ ୟୁପିର ୧୦ଟି ସିଟ୍ ଖାଲି ହେଉଛି । ଯେଉଁଥିପାଇଁ ନିର୍ବାଚନ ହେବ । ଏହି ୧୦ଟି ସିଟ୍ ଭିତରୁ ବିଜେପି ପାଖରେ ୭ଟି ସିଟ୍ ରହିଥିବାବେଳେ, ୩ଟି ସିଟ୍ ସମାଜବାଦୀ ପାର୍ଟି ପାଖରେ ରହିଛି । ତେଣୁ ବିଜେପି ଏହି ୭ଟି ରାଜ୍ୟସଭା ସିଟ୍ ମଧ୍ୟରୁ ଗୋଟିଏ ସିଟ୍ କୁମାର ବିଶ୍ୱାସଙ୍କୁ ଦେଇପାରେ । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆବାସରେ ହେଇଥିବା ଏହି ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରିଜେଶ ପାଠକଙ୍କ ସମେତ ଦଳର ଅଧ୍ୟକ୍ଷ ଭୁପେନ୍ଦ୍ର ଚୌଧୁରୀ, ସଙ୍ଗଠନ ମହାମନ୍ତ୍ରୀ ଧର୍ମପାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

କୁମାର ବିଶ୍ୱାସ କିଏ?

କୁମାର ବିଶ୍ୱାସ ହେଉଛନ୍ତି ଜଣେ ଲୋକପ୍ରିୟ ହିନ୍ଦୀ କବି | ତାଙ୍କର ପୁରା ନାଁ ହେଉଛି ବିଶ୍ୱାସ କୁମାର ଶର୍ମା | ସାରା ଦେଶରେ ଓ ବିଦେଶରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି | ତେବେ କବି ବ୍ୟତୀତ ବହୁ ଚାଁର୍ଛିତ ଆନ୍ନା ହଜାରେ ସତ୍ୟାଗ୍ରହ ସମୟରେ କୁମାର ବିଶ୍ୱାସ ଚର୍ଚ୍ଚାରେ ରହିଥିଲେ | ଏହି ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ପରବର୍ତ୍ତୀ ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ସହ ମିଶି ସେ ଆମ ଆଦମୀ ପାର୍ଟି ଗଠନରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଏପରିକି 2014 ଲୋକସଭା ନିର୍ବାଚନରେ ଆପ ଟିକେଟରେ ୟୁପିର ଆମେଠି ଆସନରେ ସେ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ ଓ ପରାଜିତ ହୋଇଥିଲେ | ପରେ ରାଜ୍ୟସଭା ସିଟକୁ ନେଇ କେଜ୍ରିୱାଲଙ୍କ ସହ ତାଙ୍କର ମନ ମାଳିନ୍ୟ ହୋଇଥିଲା ଓ ସେ ଆମ ଆଦମୀ ପାର୍ଟି ଛାଡିଥିଲେ | ଏବେ ବିଜେପି ତାଙ୍କୁ ରାଜ୍ୟସଭା ପଠାଇପାରେ ବୋଲି ଚର୍ଚ୍ଚା ହେଉଛି |

Related Posts