ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟରେ ନିଜର ସଙ୍ଗଠନକୁ ସୁଦୃଢ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛି ବିଜେପି। ଦଳର କେନ୍ଦ୍ରୀୟ ନେତା ମାନେ ମଧ୍ୟ ଓଡ଼ିଶାକୁ ଫୋକସରେ ରଖିଛନ୍ତି। ଏସବୁ ଭିତରେ ପୁରୀରେ ଦଳର ୩ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏହି ଶିବିରରେ ଦଳର ସଙ୍ଗଠନକୁ ସୁଦୃଢ଼ କରିବାକୁ ନେତା ମାନଙ୍କୁ ଗୁରୁମନ୍ତ୍ର ଦିଆଯାଉଛି। ଆଜି ଏହି ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିନରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ନିଜ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଏହି ପ୍ରଶିକ୍ଷଣ ଶିବିରରେ ୩ ଦିନରେ ୧୫ଟି ବିଷୟରେ ଆଲୋଚନା ହେବ । କିନ୍ତୁ ସମସ୍ତ ବିଷୟର ମୂଳ ଲକ୍ଷ୍ୟ ଏକ। ଆମର ଲକ୍ଷ୍ୟ ହେଉଛି ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପିର ବିଜୟ ହେବା ଓ ସହ ସରକାର ଗଠନ କରିବ । ୨୦୧୯ରେ ମୋଦି ପ୍ରଧାନମନ୍ତ୍ରୀ ହେବା ବେଳେ ଓଡ଼ିଶାରୁ ୮ ସାଂସଦ ଜିତିଥିଲେ। ୨୦୨୪ ନିର୍ବାଚନରେ ଏହି ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ପ୍ରୟାସ ଆରମ୍ଭ ହୋଇ ଯାଇଛି ବୋଲି ସେ କହିଛନ୍ତି।
ଏହା ସହିତ ସୁରେଶ ଆହୁରି କହିଛନ୍ତି ଯେ, ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବା। ଦଳର ବୁଥ ସ୍ତରରେ କର୍ମୀଙ୍କ ସହ କାନ୍ଧରେ କାନ୍ଧ ମିଶାଇ କାର୍ଯ୍ୟ କରିବା ଆମର ଲକ୍ଷ୍ୟ। ଯେଉଁ କେନ୍ଦ୍ରୀୟ ଯୋଜନା ଗୁଡ଼ିକୁ ରାଜ୍ୟ ସରକାର ହଡ଼ପ କରିବାକୁ ଚାହୁଁଛନ୍ତି ସେହି ଯୋଜନାର ପ୍ରକୃତ ତଥ୍ୟ ଆମେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବୁ ବୋଲି ସେ କହିଛନ୍ତି। ଏହା ସହିତ ଆଗାମୀ ନିର୍ବାଚନରେ ବିଜେଡି ସହ ଜୋରଦାର ଲଢେଇ ହେବ ଓ ରାଜ୍ୟରେ ବିଜେପି କିଭଳି ସରକାରକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।
