ପଞ୍ଚାୟତିରାଜ ଦିବସକୁ ରାଜ୍ୟବ୍ୟାପୀ ଭ୍ରଷ୍ଟାଚାର ଦିବସ ରୂପେ ପାଳିଲା ବିଜେପି

ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ବିଜୁ ଜନତା ଦଳର ଶାସନରେ ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ଏଭଳି ଅଭିଯୋଗ ଆଣିବା ସହିତ ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତିର ସଂଖ୍ୟା ଗଣାଇ ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳିଛି ବିଜେପି । ରାଜ୍ୟର ସମସ୍ତ ବ୍ଲକ୍ ଗୁଡ଼ିକୁ ଭ୍ରଷ୍ଟାଚାରର ଗନ୍ତାଘର କରାଯାଇଥିବା ଏବଂ ପ୍ରତି ବର୍ଷ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫ ହଜାର କୋଟିର ଦୁର୍ନୀତି ହେଉଛି। ଲୋକଙ୍କ ଟଙ୍କାକୁ ହରିଲୁଟ୍ କରିବାର ଶେଷ ସୀମାରେ ପହଞ୍ଚି ଯାଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ରୋକିବା ପରିବର୍ତ୍ତେ ଅଧିକ ପ୍ରୋତ୍ସାହିତ କରୁଥିବା ବିଜେଡି ସରକାରଙ୍କ ପଞ୍ଚାୟତିରାଜ ଦିବସ ପାଳନ କରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ଏବଂ ଏହା ବିରୋଧରେ ଆଜି ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଭ୍ରଷ୍ଟାଚାର ଦିବସ ଭାବେ ବିଜେପି କାର୍ଯ୍ୟକର୍ତ୍ତାମାନେ ହାତରେ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି ।

ଏହି କ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି କଟକ ଜିଲ୍ଲା ସାଲେପୁରଠାରେ ଅନୁଷ୍ଠିତ ଧାରଣା କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁର୍ନୀତିଖୋର ମନୋଭାବ କାରଣରୁ ପଞ୍ଚାୟତିରାଜ ବିଭାଗ ଆଜି ଦୁର୍ନୀତିର ଗନ୍ତାଘର ସାଜିଛି । ମୁଖ୍ୟମନ୍ତ୍ରୀ କହିଥିଲେ ‘ଷ୍ଟପ ପିସି’ । କିନ୍ତୁ ୧୪ଦଶ ଓ ୧୫ଦଶ ଅର୍ଥକମିଶନ, ନରେଗା, ରାସନକାର୍ଡ, ପାଇଖାନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ମାତ୍ରାରେ ପିସି କାରବାର ହେବା ସହିତ ଦଳୀୟ ଆଧାରରେ ହିତାଧିକାରୀ ଚୟନ କରାଯାଉଛି ।

ଏହି କାରଣରୁ ବହୁ ଯୋଗ୍ୟ ହିତାଧିକାରୀ ନିଜ ହକ୍ ପାଇବାରୁ ବଞ୍ଚିତ ରହୁଛନ୍ତି । ଓଡ଼ିଶାରେ ୭୬୯୮ଟି ପଞ୍ଚାୟତରେ ଅର୍ଦ୍ଧାଧିକ ପିଇଓ ପଦବୀ ଖାଲି ପଡିଛି । ବ୍ଲକ ଜେଇ ଠିକାଦାର ସାଜିଛନ୍ତି । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବ୍ୟାପକ ମାତ୍ରାରେ ପ୍ରୋତ୍ସାହିତ କରୁଛନ୍ତି ଖୋଦ୍ ରାଜ୍ୟ ସରକାର । ୨୦୧୭ ସେପ୍ଟମ୍ବରରୁ ପଞ୍ଚାୟତରେ ପଲ୍ଲୀସଭା ଓ ଗ୍ରାମସଭାକୁ ଉଚ୍ଛେଦ କରାଯାଇଛି । ବାସ୍ତବରେ ‘ଓଡ଼ିଶାରେ ଶାସନ କିଏ କରୁଛି’ ତାହା ଜଣା ପଡୁନାହିଁ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ଭ୍ରଷ୍ଟାଚାରମୁକ୍ତ କରିବା ଅପେକ୍ଷା ଭ୍ରଷ୍ଟାଚାରଯୁକ୍ତ କରାଯିବା କାରଣରୁ ବିକାଶ ବାଧାପ୍ରାପ୍ତ ହୋଇପଡିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଓଡ଼ିଶାରେ ଏବେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରୁ ଅରାଜକତା ବ୍ୟାପିଛି । ଓଡ଼ିଶାରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ଦିବାଲୋକରେ ଜଣେ ପୋଲିସ ଅଧିକାରୀ ଗୁଳିକରି ହତ୍ୟା କରିବାର ମାସେ ବିର୍ତିଥିଲେ ବି ଷଡଯନ୍ତ୍ରକାରୀ କିଏ ଜଣାପଡିଲା ନାହିଁ କି ସଠିକ୍ ତଦନ୍ତ ହେଉ ନାହିଁ । ସ୍ୱର୍ଗତଃ ଦାସଙ୍କୁ ଝାରସୁଗୁଡାରେ ଗୁଳି ମାଡ କରାଗଲା କିନ୍ତୁ ତାଙ୍କୁ ଭୁବନେଶ୍ୱରକୁ ଅଣାଯାଇ ଅପରେସନ କରାଗଲା । ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଦ୍ୱାରା ପାଇଖାନା ଟାଙ୍କିରୁ ଚିଠି ବାହାର କରିବା ଗପ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହାସ୍ୟାସ୍ପଦ । ସ୍ୱର୍ଗତଃ ଦାସଙ୍କ ତଦନ୍ତ ବିଶ୍ୱସ୍ତରୀୟ କରିବା କଥା କହି ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ବିଧାନସଭାର ପବିତ୍ର ଗୃହରେ ନିଜର ଅପାରଗତା ଓ ସ୍ଥାଣୁତାକୁ ଘଣ୍ଟ ଘୋଡାଇବା ପାଇଁ ମୁଖ୍ୟମନ୍ତ୍ରୀ ଭାରତୀୟ ଜନତା ପାର୍ଟିକୁ ଦୋଷ ଦେଉଛନ୍ତି । ଲୋକେ ଆଗାମୀ ଦିନରେ ଜବାବ୍ ରଖିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ତେବେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀକୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବା ବେଳେ ନିରାଧାର ପ୍ରସଙ୍ଗକୁ ଥୋଇ ବିଜେପି ହୀନ ରାଜନୀତି କରୁଥିବା କହିଛି ବିଜେଡି । ବ୍ଲକରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପଞ୍ଚାୟତିରାଜ ଦିବସ ପାଳନ ବେଳେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଦୁର୍ନୀତିକୁ ନେଇ ବ୍ଲକ୍ ବାହାରେ ବିଜେପିର ହଲ୍ଲାବୋଲ୍ ଚର୍ଚ୍ଚା ସୃଷ୍ଟି କରିଛି ।

Related Posts