ମିଳିଲା ବ୍ଲାକବକ୍ସ, ଜଣାପଡିବ ବିମାନ ଦୁର୍ଘଟଣାର କାରଣ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନର ବ୍ଲାକ ବକ୍ସ ଶେଷରେ ଠାବ ହୋଇଛି। କମଳା ରଙ୍ଗର ଏହି ଡିଭାଇସକୁ ବିମାନର ପଛ ପାର୍ଶ୍ୱରୁ ଠାବ କରାଯାଇଛି। ବିମାନଟି ନିୟନ୍ତ୍ରଣ ହରାଇ ଜେବି ମେଡିକାଲ କଲେଜର ହଷ୍ଟେଲ ବିଲଡିଂକୁ ଧକ୍କା ଦେଇଥିଲା। ବିଲଡିଂ କାନ୍ଥରେ ଏହାର ପଛ ପାର୍ଶ୍ୱ ଲାଗି ଯାଇଥିଲା। ଏବେ ଛାତ ଉପରୁ ବ୍ଲାକ ବକ୍ସକୁ ଠାବ କରାଯାଇଛି।

ବ୍ଲାକ ବକ୍ସକୁ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ବା ଏଏଆଇବି ଟିମ ଠାବ କରିଛି। ବ୍ଲାକ ବକ୍ସ ମିଳିଥିବାରୁ ଏବେ ତଦନ୍ତକାରୀ ଟିମକୁ ଦୁର୍ଘଟଣାର କାରଣ ଖୋଜିବାରେ ବେଶ ସହାୟକ ହେବ।

ବ୍ଲାକ ବକ୍ସ କ’ଣ?

ବ୍ଲାକ ବାକ୍ସ କଥା ଶୁଣିଲେ ସମସ୍ତେ ଭାବନ୍ତି ଏହା ଏକ କଳା ରଙ୍ଗର ବାକ୍ସ। କିନ୍ତୁ ବ୍ଲାକ ବାକ୍ସ ଏହାର ନାଁ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହା କମଳା ରଙ୍ଗର ବାକ୍ସ। ଏହାକୁ ଏହାକୁ ଫ୍ଲାଇଟ ରେକର୍ଡର୍‌ ମଧ୍ୟ କୁହାଯାଏ। ବ୍ଲାକ ବାକ୍ସ ବହୁତ ଶକ୍ତିଶାଳୀ। ଏହା ବିମାନର ପଛ ଭାଗରେ ସୁରକ୍ଷିତ ରହିଥାଏ। ବିମାନ ଦୁର୍ଘଟଣା ପରେ ବ୍ଲାକ ବାକ୍ସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପକରଣ ମଧ୍ୟରୁ ଗୋଟିଏ। ଏହା ସାହାଯ୍ୟରେ ଦୁର୍ଘଟଣାର ତଦନ୍ତ କରାଯାଏ। ବିମାନ କିପରି ଦୁର୍ଘଟଣାଗ୍ରସ୍ତ ହେଲା? ଏହା ପଛରେ କ’ଣ କାରଣ ଥିଲା? କକପିଟରେ ପାଇଲଟ ଓ ଅନ୍ୟମାନେ କ’ଣ କରୁଥିଲେ ଆଦି ତଥ୍ୟ ମିଳିଥାଏ।

ବ୍ଲାକ୍ ବାକ୍ସର ଦୁଇଟି ଅଂଶ ଅଛି । ଏହାର ପ୍ରଥମ ଅଂଶକୁ ଫ୍ଲାଇଟ୍ ଡାଟା ରେକର୍ଡର୍ (FDR) ଏବଂ ଦ୍ବିତୀୟ ଅଂଶକୁ କକପିଟ୍ ଭଏସ୍ ରେକର୍ଡର୍ (CVR) ବୋଲି କୁହାଯାଏ । ବ୍ଲାକ୍ ବାକ୍ସରେ ଉପସ୍ଥିତ ଏହି ଦୁଇଟି ଅଂଶ ମାଧ୍ୟମରେ ବିମାନ ଦୁର୍ଘଟଣାର କାରଣ ଖୋଜିବାରେ ବିଶେଷଜ୍ଞମାନଙ୍କୁ ସାହାଯ୍ୟ କରାଯାଏ।

ବ୍ଲାକ ବାକ୍ସଟି ଟାଇଟାନିୟମ ଧାତୁରେ ତିଆରି। ଭୟଙ୍କର ଦୁର୍ଘଟଣା ଘଟିଲେ ମଧ୍ୟ ବ୍ଲାକ ବାକ୍ସ ସୁରକ୍ଷିତ ରହିଥାଏ। ଯଦି ବିମାନଟିରେ ନିଆଁ ଲାଗିଯାଏ, ତେବେ ଏହାର ଧ୍ୱଂସ ହେବାର ସମ୍ଭାବନା ପ୍ରାୟ ନାହିଁ। ଏହା ପ୍ରାୟ ୧ ଘଣ୍ଟା ପାଇଁ ୧୧ ଶହ ଡିଗ୍ରୀ ସେଲସିୟସ ତାପମାତ୍ରା ସହ୍ୟ କରିପାରିବ। ଏହା ପରେ ମଧ୍ୟ ଏହି ବାକ୍ସ ପରବର୍ତ୍ତୀ ୨ ଘଣ୍ଟା ପାଇଁ ପ୍ରାୟ ୨୬୦ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ।

ଏହାର ଆଉ ଏକ ବିଶେଷତ୍ୱ ହେଉଛି ଏହା ପ୍ରାୟ ଗୋଟିଏ ମାସ ପର୍ଯ୍ୟନ୍ତ ବିନା ଆଲୋକରେ କାମ କରେ। ଯଦି ଦୁର୍ଘଟଣାଗ୍ରସ୍ତ ବିମାନକୁ ଖୋଜିବା ପାଇଁ ସମୟ ଲାଗିବ କିମ୍ବା ଏହା ଗଭୀର ପାଣିରେ ବୁଡ଼ି ଯାଇଥିବ, ତା’ହେଲେ ମଧ୍ୟ ବ୍ଲାକ ବକ୍ସ ସୁରକ୍ଷିତ ରହିଥାଏ। ୬୦୦୦ ମିଟର ଗଭୀର ପାଣିରେ ଏହା ୩୦ ଦିନ ଯାଏ ସୁରକ୍ଷିତ ରହିବାର କ୍ଷମତା ରଖିଛି।

Related Posts