ନାଗପୁରସ୍ଥିତ ଆର୍‌ଏସ୍‌ଏସ୍‌ ମୁଖ୍ୟାଳୟକୁ ବୋମାରେ ଉଡ଼ାଇଦେବାକୁ ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର,୧/୧(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ନାଗପୁରରେ ଥିବା ‘ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ’ର (ଆର୍‌ଏସ୍‌ଏସ୍‌) ମୁଖ୍ୟାଳୟକୁ ବୋମା ପକାଇ ଉଡ଼ାଇଦେବାକୁ ଶନିବାର ଜଣେ ଅଜ୍ଞାତ ବ୍ୟକ୍ତି ଫୋନ୍‌ରେ ଧମକ ଦେଇଛି। ଏହାପରେ ‘ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ’ର (ଆର୍‌ଏସ୍‌ଏସ୍‌) ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା କଥା ପୁଲିସ କହିଛି।

ତୃତୀୟ ଜୋନ୍‌ର ‘ଡିସିପି’ ଗୋରଖ ଭାମ୍‌ରେ କହିଛନ୍ତି, ଶନିବାର ଅପରାହ୍ନ ପ୍ରାୟ ୧ଟା ବେଳେ ପୋଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କଲ୍‌ ଆସିଥିଲା। ବ‌ୋମା ପକାଇ ମହଲ୍‌ ଅଞ୍ଚଳରେ ଥିବା ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟାଳୟକୁ ଉଡ଼ାଇ ଦେବା ପାଇଁ ଜଣେ ବ୍ୟକ୍ତି ଫୋନ୍‌ରେ ଧମକ ଦେଇଥିଲେ। ସେଥିପାଇଁ, ବୋମା ସନ୍ଧାନ ଓ ନିଷ୍କ୍ରିୟକାରୀ ସ୍କ୍ବାଡ୍‌ ଏବଂ ସନ୍ଧାନୀ କୁକୁର ଡକାଯାଇ ମୁଖ୍ୟାଳୟ ପରିସରରେ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। କିନ୍ତୁ, କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିଲା ନାହିଁ। ସତର୍କତାମୂଳକ ପଦ‌କ୍ଷେପସ୍ବରୂପ ପାଟ୍ରୋଲିଙ୍ଗ୍‌ ବ୍ୟବସ୍ଥା ତୀବ୍ରତର କରାଯିବା ସହିତ ଫୋନ୍‌ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଲାଗି ପୁଲିସ ସେ ଫୋନ୍‌ ନମ୍ବର୍‌କୁ ଟ୍ରାକିଙ୍ଗ୍‌ କରୁଛି ବୋଲି ‘ଡିସିପି’ କହିଛନ୍ତି।

ପ୍ରତିରକ୍ଷା ପଦକ୍ଷେପସ୍ବରୂପ ‘ଆର୍‌ଏସ୍‌ଏସ୍‌’ ମୁଖ୍ୟାଳୟରେ ନାଗପୁର ପୁଲିସ ଟିମ୍‌, ‘ସେଣ୍ଟ୍ରାଲ୍‌ ରିଜର୍ଭ ଫୋର୍ସ’ ଟିମ୍ ସମେତ ଅତିରିକ୍ତ ବଳ ମୁତୟନ କରାଯାଇଛି। ମୁଖ୍ୟାଳୟ ଆଖପାଖରେ ବାସ କରୁଥିବା ଜନତାଙ୍କ ଗତିବିଧି ଉପରେ ମଧ୍ୟ ନିରାପତ୍ତା ବଳ ଦୃଷ୍ଟି ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ‘ଆର୍‌ଏସ୍‌ଏସ୍‌’ ମୁଖ୍ୟାଳୟରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଥିଲେ ବି ଅଭିଯୋଗ ହୋଇଥିବା ବୋମା ବିସ୍ଫୋରଣ ଧମକ ସମ୍ବନ୍ଧରେ ନାଗୁପୁର ପୁଲିସ କମିସନର୍‌ ଔପଚାରିକ ଭାବେ କୌଣସି ବିବୃତି ଦେଇନାହାନ୍ତି।

Related Posts