ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ବମ୍ବେ ହାଇକୋର୍ଟରୁ ବଡ ଝଟକା ଲାଗିଛି । ୨ ସପ୍ତାହ ମଧ୍ୟରେ ନାରାୟଣ ରାଣେଙ୍କ ଜୁହୁସ୍ଥିତ ଥିବା ବେଆଇନ ନିର୍ମାଣକୁ ଭାଙ୍ଗିବାକୁ କୋର୍ଟ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ନାରାୟଣ ରାଣେଙ୍କ ଉପରେ କୋର୍ଟ ୧୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି ।କୋର୍ଟ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଗୃହ ନିର୍ମାଣ ବେଳେ ଫ୍ଲୋର ସ୍ପେସ ଇଣ୍ଡେକ୍ସ ଓ କୋଷ୍ଟାଲ ରେଗୁଲେସନ ଜୋନ ନିୟମର ଉଲଙ୍ଘନ କରିଛନ୍ତି ।
ବିଚାରପତି ଜଷ୍ଟିସ ଆର ଡି ଧାନୁନା ଓ ଜଷ୍ଟିସ କମଲ ଖତାଙ୍କ ବେଞ୍ଚ କହିଛନ୍ତି ଯେ, ବୃହନମୁମ୍ବାଇ ନଗରନିଗମରେ ରାଣେ ପରିବାର ଦ୍ୱାରା ସଂଚାଳିତ କମ୍ପାନୀ ଦ୍ୱାରା ଦାଖଲ କରାଯାଇଥିବା ଦ୍ୱିତୀୟ ଆବେଦନ ଉପରେ ବିଚାର କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ । ଏଭଳି କରାଗଲେ ଅନାଧିକୃତ ନିର୍ମାଣକୁ ପ୍ରୋତ୍ସାହନ ମିଳିବ । ସୂଚନାଯୋଗ୍ୟ ଯେ, କମ୍ପାନୀ ତରଫରୁ କରାଯାଇଥିବା ଦ୍ୱିତୀୟ ଆବେଦନରେ ଅନାଧିକୃତ ନିର୍ମାଣକୁ ନିୟମିତ କରିବାକୁ ଅନୁରୋଧ କରାଯାଇଥିଲା । ଏହାସହ କୋର୍ଟ ତରଫରୁ ବିଏମସିକୁ ୨ ସପ୍ତାହ ମଧ୍ୟରେ ଏହି ବେଆଇନ ନିର୍ମାଣକୁ ଭାଙ୍ଗିଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ଖଣ୍ଡପୀଠ ନାରାୟଣ ରାଣେଙ୍କ ଉପରେ ମଧ୍ୟ ୧୦ ଲକ୍ଷ ଟଙ୍କାର ଜରିମାନା ଲଗେଇଛି ।





