‘ଓଡ଼ିଶାରେ ସାର ସିଞ୍ଚନ ପ୍ରକ୍ରିୟା ଆରମ୍ଭ ହୋଇଛି, ୨୦୨୪ରେ ଆମେ ଫସଲ ଅମଳ କରିବୁ’: ଜୟନାରାୟଣ ମିଶ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୪ରେ ବିଜେଡ଼ି ସହ ଜୋରଦାର ଲଢ଼େଇ ହେବ ବୋଲି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ, ଆମେ ଏବେ ସାର ସିଞ୍ଚନ ପ୍ରକ୍ରିୟା ଆରମ୍ଭ କରିଛୁ। ୨୦୨୪ରେ ଆମେ ଫସଲ ଅମଳ କରିବୁ। ଯେହେତୁ ଫଳ ଧରିନି, ତେଣୁ ଏବେ ଦେଖାଯାଉନି। ଏକାଦିନେ ସବୁ କାମ ହୁଏନି, ସେଥିପାଇଁ ପ୍ରକ୍ରିୟା ଚାଲିଛି ବୋଲି ସେ କହିଛନ୍ତି। ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଦିଲ୍ଲୀରୁ ଫେରିବା ପରେ ଜୟନାରାୟଣ ମିଶ୍ର ଏଭଳି କହିଛନ୍ତି।

ସିବିଆଇ ଓ ଇଡି ଓଡ଼ିଶା ଆସିବେ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ସେ ଉତ୍ତର ଦେଇ କହିଛନ୍ତି ଯେ, ‘ସିବିଆଇ ଓ ଇଡି ଓଡ଼ିଶା ଆସିବାର ଆବଶ୍ୟକତା ନିଶ୍ଚିତ ରହିଛି। କାରଣ ଓଡ଼ିଶାରେ ଦୁର୍ନୀତି ଚରମସୀମାରେ ପହଞ୍ଚି ଯାଇଛି।’ ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଅନେକ ଲୋକଙ୍କ ଦୁର୍ନୀତିରେ ଓଡ଼ିଶା ଭାରାକ୍ରାନ୍ତ ହୋଇଯାଇଛି। ଏଣୁ ମୁଁ ଭାବୁଛି ଯେ ଏଠାକୁ ସିବିଆଇ ଓ ଇଡି ଆସିବାର ଆବଶ୍ୟକତା ରହିଛି। କିନ୍ତୁ ସିବିଆଇ ଓ ଇଡି ଓଡ଼ିଶା ଆସିବେ କି ନାହିଁ, ତାହା ମୁଁ ଜାଣିନି। ମୁଁ ସିବିଆଇ ଓ ଇଡିର ପ୍ରବକ୍ତା ନୁହେଁ। ସିବିଆଇ ଓ ଇଡି ଆମର ରାଜନୈତିକ ଅସ୍ତ୍ର ନୁହନ୍ତି। ଆମ କର୍ମକର୍ତ୍ତାଙ୍କ ପରିଶ୍ରମରେ ଆମେ ପରିବର୍ତ୍ତନ କରିବୁ ବୋଲି ସେ କହିଛନ୍ତି। ଓଡ଼ିଶାର ରାଜନୀତିକ ପରିସ୍ଥିତି ବିଷୟରେ ନଡ୍ଡା ଓ ଶାହଙ୍କ ସହିତ ଆଲୋଚନା ହୋଇଥିବା କହିଛନ୍ତି ଜୟନାରାୟଣ ମିଶ୍ର। ସେ କହିଛନ୍ତି, ହୁଏତ ସେମାନେ (ନଡ୍ଡା ଓ ଶାହ) କିଛି କଥା ଜାଣି ନଥାଇ ପାରନ୍ତି, କିନ୍ତୁ ଓଡ଼ିଶା ବିଷୟରେ ଟିକିନିଖି ଖବର ରଖିଛନ୍ତି। ତୃଣମୂଳ ସ୍ତରରେ କ’ଣ ଘଟୁଛି ସେମାନେ ଆମଠୁ ଅଧିକ ଜାଣିଛନ୍ତି। ତେଣୁ ସମସ୍ତଙ୍କ ସହଯୋଗରେ ୨୦୨୪ ନିର୍ବାଚନରେ ଜୋରଦାର ଲଢେଇ ହେବ ଓ ବିଜେପି ଓଡ଼ିଶାରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି।

Related Posts