ମୁମ୍ବାଇ: ମହିଳାଙ୍କୁ ନେଇ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଜଣେ ମହିଳା ଶିକ୍ଷିତ ହୋଇଥିବା କାରଣରୁ ତାଙ୍କୁ ଜୀବିକା ନିର୍ବାହ ପାଇଁ କାମ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ । ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ଭାରତୀ ଡାଙ୍ଗରେଙ୍କ ଜଣିକିଆ ଖଣ୍ଡପୀଠ, ପୁଣେର ପାରିବାରିକ ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ‘ରିଭିଜନ୍’ (ସଂଶୋଧନ) ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ବିଚ୍ଛିନ୍ନ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଶୁକ୍ରବାର ଶୁଣାଣି ସମୟରେ ଅଦାଲତ କହିଛନ୍ତି ଯେ ଜଣେ ମହିଳାଙ୍କ ପାଖରେ କାମ କରିବା କିମ୍ବା ଘରେ ରହିବାର ପସନ୍ଦ ତାଙ୍କ ନିଜସ୍ୱ। ଯଦିଓ କାମ କରିବା ପାଇଁ ସେ ଯୋଗ୍ୟ ଏବଂ କାମ କରିବା ପାଇଁ ଶିକ୍ଷାଗତ ଡିଗ୍ରି ତାଙ୍କ ନିକଟରେ ଅଛି, ତଥାପି ତାଙ୍କୁ କାମ କରିବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ।
ଆମ ସମାଜ ଏପର୍ଯ୍ୟନ୍ତ ସ୍ୱୀକାର କରିନାହିଁ ଯେ ପରିବାରର ମହିଳା (ଆର୍ଥିକ ଦୃଷ୍ଟିରୁ) ଯୋଗଦାନ କରିବା ଉଚିତ। କାମ କରିବା ଜଣେ ମହିଳାଙ୍କ ନିଜସ୍ୱ ପସନ୍ଦ। ତାଙ୍କୁ କାମକୁ ଯିବାକୁ ବାଧ୍ୟ କରାଯାଇପାରିବ ନାହିଁ। କେବଳ ସେ ସ୍ନାତକ ହୋଇଥିବାରୁ ଏହାର ଅର୍ଥ ନୁହେଁ ଯେ ସେ ଘରେ ବସିପାରିବେ ନାହିଁ ବୋଲି ଜଷ୍ଟିସ୍ ଡାଙ୍ଗରେ କହିଛନ୍ତି।
‘ଆଜି ମୁଁ ଏହି ଅଦାଲତର ବିଚାରପତି ଅଛି। ଆସନ୍ତାକାଲି, ଧରାଯାଉ ମୁଁ ଘରେ ବସିପାରେ। ତା’ପରେ ଆପଣ କହିବେ କି ମୁଁ ବିଚାରପତି ହେବାକୁ ଯୋଗ୍ୟ ଏବଂ ଘରେ ବସିବା ଉଚିତ୍ ନୁହେଁ?’ ବୋଲି ସେ କହିଛନ୍ତି।
