ଦେଶର ସୁରକ୍ଷା ପାଇଁ LOCରେ ଡ୍ୟୁଟି କରୁଥିବା ଓଡିଆ ଯବାନକୁ ନିଜ ବାହାଘରରେ ପହଂଚାଇବା ପାଇଁ ଏୟାରଲିଫ୍ଟ କଲା ସୀମା ସୁରକ୍ଷା ବଳ

ଶ୍ରୀନଗର: ଦେଶର ସୁରକ୍ଷା ପାଇଁ ଅନେକ ସମୟରେ ଯବାନ ମାନେ ନିଜ ପରିବାର କୁ ଭୁଲି ଯାନ୍ତି | ଦେଶର ସୁରକ୍ଷାରେ ନିଜକୁ ସମର୍ପି ଦିଅନ୍ତି | ତେବେ ଓଡିଶାର ଢେଙ୍କାନାଳ ଜିଲ୍ଲାରୁ ଆସିଛି ଏମିତି ଏକ ଖବର | ଦେଶର ସୁରକ୍ଷା ପାଇଁ LOCରେ ଡ୍ୟୁଟି କରୁଥିବା ଯବାନ ନିଜ ବାହାଘରରେ ପହଁଚି ପାରିନାହାନ୍ତି | ବିବାହ ପାଇଁ ଯବାନ ଜଣଙ୍କ ଘରକୁ ଆସିବାକୁ ଚାହୁଁଥିଲେ, କିନ୍ତୁ ସେ ମୁତୟନ ହୋଇଥିବା ସ୍ଥାନରେ ପ୍ରବଳ ବରଫପାତ ଯୋଗୁଁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା । ଯେଉଁ କାରଣରୁ ଶେଷରେ ଯବାନଙ୍କୁ ଏୟାରଲିଫ୍ଟ କଲା ସୀମା ସୁରକ୍ଷା ବଳ( border security force) । ଗୁରୁବାର ଦିନ ଏହି ଘଟଣା ପ୍ରକାଶ ପାଇଛି । ଜାମ୍ମୁ-କାଶ୍ମୀର କୁପୱାଡା ଅନ୍ତର୍ଗତ ମଚଲା ସେକ୍ଟରରେ କାର୍ଯ୍ୟରତ ଥିବା ସମ୍ପୃକ୍ତ ଯବାନଙ୍କୁ ବାହାଘର ପାଇଁ ଏୟାରଲିଫ୍ଟ କରାଯାଇଛି । ଏହି ଯବାନ ହେଉଛନ୍ତି ୩୦ ବର୍ଷୀୟ ନାରାୟଣ ବେହେରା ଏବଂ ତାଙ୍କ ଘର ଓଡିଶାର ଢେଙ୍କାନାଳ ଜିଲ୍ଲାରେ ।

ପ୍ରବଳ ତୁଷାରପାତ ଯୋଗୁଁ ସମଗ୍ର ଅଞ୍ଚଳରେ ଯାତାୟତ ଠପ୍ ହୋଇଯାଇଥିଲା । ଅନ୍ୟପଟେ ମେ ୨ ତାରିଖରେ ନାରାୟଣଙ୍କ ବିବାହ ଥିଲା । ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଯୋଗୁଁ ତାଙ୍କ ପରିବାର ଲୋକେ ଖୁବ୍ ଚିନ୍ତାରେ ପଡିଥିଲେ । ତେଣୁ ନାରାୟଣଙ୍କ ୟୁନିଟ କମାଣ୍ଡର ଏ ସମ୍ପର୍କରେ BSF ଇନସ୍ପେକ୍ଟର ଜେନେରାଲ ରାଜା ବାବୁ ସିଂହଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଏଣୁ IG ସିଂହ ଶ୍ରୀନଗରରେ ଥିବା ସେନାର ହେଲିକାପ୍ଟର ଚିତା ଯୋଗେ ଯବାନଙ୍କୁ ସେଠାରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସ୍ବତନ୍ତ୍ର ଅପରେସନ ଆରମ୍ଭ ହୋଇଥିଲା । IGଙ୍କ ନେତୃତ୍ବରେ ଗୁରୁବାର ନାରାୟଣ ବେହେରାଙ୍କୁ LOCରୁ ଏୟାରଲିଫ୍ଟ କରାଯାଇଥିଲା । ବର୍ତ୍ତମାନ ଯବାନ ଜଣଙ୍କ ତାଙ୍କ ଜନ୍ମସ୍ଥାନ ଓଡିଶା ଅଭିମୁଖେ ଯାତ୍ରା କରୁଛନ୍ତି । ସୋମବାର ଦିନ ତାଙ୍କ ବିବାହ କାର୍ଯ୍ୟକ୍ରମ ରହିଛି ।

Related Posts