ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): ବାଲେଶ୍ବର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମରେ ବ୍ୟାପୁଛି ମସ୍ତିଷ୍କ ଜ୍ୱର। କନ୍ୟାଶ୍ରମର ୫ ଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇ ବାଲେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ଘୁଷୁରୀ ଓ ମଶା ଦ୍ୱାରା ଏହି ଜ୍ୱର ବ୍ୟାପୁଥିବା ଅନୁମାନ କରାଯାଉଛି। ପ୍ରାୟ ୩ ଦିନ ପୂର୍ବେ ଏହି କନ୍ୟାଶ୍ରମର ଅସୁସ୍ଥତା ହେତୁ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଅନ୍ୟ ଅନ୍ତେବେସୀ ଏକ ପ୍ରକାର ଭୟବିତ ହୋଇ ପଡ଼ିଛନ୍ତି।

ସୂଚନା ଅନୁସାରେ, ଗତ ଶୁକ୍ରବାର କନ୍ୟାଶ୍ରମରେ କିଛି ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲୋ ଜ୍ୱର ସହ ବାନ୍ତି ହେବାରୁ ପ୍ରାୟ ୨୫ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସମସ୍ତଙ୍କ ରକ୍ତ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଅନ୍ୟମାନଙ୍କର ନେଗେଟିଭ ଆସିଥିଲା।

ରିପୋର୍ଟ ଆସିବା ପରେ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନା ପଜିଟିଭ ଚିହ୍ନଟ ୫ ଛାତ୍ରୀଙ୍କୁ ତୁରନ୍ତ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିବା ବେଳେ ତାହା ସ୍ଥିର ଥିବା ଜଣାଯାଇଛି।

ଗତକାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଘଟଣାସ୍ଥଳକୁ ଯାଇ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତିା ସେଠାରେ ୨ ଟିମ୍‌ ନିୟୋଜିତ ରହି ଅସୁସ୍ଥ ଛାତ୍ରୀଙ୍କ ଚିକିତ୍ସା କରୁଥିବା ବେଳେ ଆଜି ବାଲେଶ୍ୱରରୁ ଏକ ଟିମ୍‌ ଯିବ ବୋଲି ଜଣାଯାଇଛି।

ଏନେଇ ବାଲେଶ୍ୱର ଏଡିଏମ୍‌ଓ ଡ. ମୃତ୍ୟୁଞ୍ଜୟ ମିଶ୍ର କହିଛନ୍ତି ଗୋଟିଏ ସ୍କୁଲର ଛାତ୍ରୀ ଏହି ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ମଶା କିମ୍ବା ଘୁଷୁରୀ ଯୋଗୁ ଏହା ବ୍ୟାପୁଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ଘୁଷୁରୀ ଥିଲେ ତାହାର ରକ୍ତ ନମୁନା ପରୀକ୍ଷା କରିବାକୁ ପ୍ରାଣୀଧନ ଚିକିତ୍ସା ବିଭାଗକୁ କୁହାଯାଉଛି।

ସୂଚନାଯୋଗ୍ୟ ଯେ, ଗତ ୧୭ ତାରିଖରେ ଏହି କନ୍ୟାଶ୍ରମର ଜଣେ ଛାତ୍ରୀଙ୍କର ବାନ୍ତି ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।