୧୨୦ ପଂଚାୟତରେ ଉପଲବ୍ଧ ହେଉଛି ବ୍ରଡବ୍ୟାଣ୍ଡ

ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତକୁ ଦ୍ରୁତଗାମୀ ବ୍ରଡ୍‍ବ୍ୟାଣ୍ଡ ସଂଯୋଗ ଦେବା ଲାଗି ଯୋଜନା ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅତିବେଶୀରେ ୧୨୦ଟି ପଞ୍ଚାୟତରେ ଏହି ସୁବିଧା ପହଞ୍ଚିଛି । ଭାରତ ନେଟ୍‍ ବ୍ୟବହାର ନେଇ ପ୍ରସ୍ତୁତ ସର୍ବଶେଷ ରିପୋର୍ଟରୁ ଜଣାପଡ଼ିଛି ଯେ ୧୮୦୦ଟି ଗ୍ରାମ ପଞ୍ଚାୟତ ଏହି ଯୋଜନାରେ ସାମିଲ ଦର୍ଶାଯାଇଥିବାବେଳେ ମାତ୍ର ୧୨୦ଟିରେ ଏହା ସମ୍ଭବ ହୋଇଛି । ଭାରତ ବ୍ରଡ୍‍ବ୍ୟାଣ୍ଡ ନେଟ୍‍ୱାର୍କ ଲିମିଟେଡ୍‍( ବିବିଏନ୍‍ଏଲ୍‍) ରାଜ୍ୟର ୧୮ଟି ଜିଲ୍ଲାରେ ଭାରତ ନେଟ୍‍ ଫେଜ୍‍-୧ କାର୍ଯ୍ୟ କରୁଛି । ଏହା ୧୮ଟି ଜିଲ୍ଲାର ୧୮୧ ବ୍ଲକ୍‍ ଓ ୩୮୨୦ ପଞ୍ଚାୟତରେ କାଯ୍ୟକାରୀ ହେଉଛି ।

ବିବିଏନ୍‍ଏଲ୍‍ ରିପୋର୍ଟ ଅନୁଯାୟୀ ୧୮୦୦ଟି ପଞ୍ଚାୟତକୁ ବ୍ରଡ୍‍ବ୍ୟାଣ୍ଡ ସୁବିଧା ଦିଆଯାଇଛି । ମାତ୍ର କ୍ଷେତ୍ର ସ୍ତରର ସୂଚନାନୁଯାୟୀ କେବଳ ୧୨୦ଟି ପଞ୍ଚାୟତରେ ଏହା ଉପଲବ୍ଧ ହେଉଛି । କ୍ଷେତ୍ରୀୟ ରିପୋର୍ଟ ଓ ବିବିଏନ୍‍ଏଲ୍‍ ସୂଚନା ମଧ୍ୟରେ ଆକାଶ ପାତାଳ ଫରକ୍‍ ଦେଖିବାକୁ ମିଳୁଛି । ଦେଶର ସମସ୍ତ ଗ୍ରାମ ଓ ପଞ୍ଚାୟତକୁ ଅପ୍ଟିକାଲ୍‍ ଫାଇବର୍‍ କେବୁଲ୍‍ ଜରିଆରେ ଡିଜିଟାଲ ସଂଯୋଗ ପାଇଁ କେନ୍ଦ୍ର ସରକାର ଭାରତ ନେଟ୍‍ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ୨୦ ହଜାର କୋଟି ଟଙ୍କା ବ୍ୟୟରେ ୧ ଲକ୍ଷ ଗ୍ରାମ ପଞ୍ଚାୟତକୁ ଦ୍ରୁତଗାମୀ ବ୍ରଡ୍‍ ବ୍ୟାଣ୍ଡ ସୁବିଧା ଯୋଗାଇ ଦିଆଯିବ ।

ଓଡ଼ିଶାର ୧୮ଟି ଜିଲ୍ଲା ଯଥା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତ୍‍ସିଂପୁର, କେନ୍ଦ୍ରାପଡ଼ା, ଖୋଦ୍ଧା, ନୟାଗଡ଼, ପୁରୀ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ବୌଦ୍ଧ, ଦେବଗଡ଼, କନ୍ଧମାଳ ଏବଂ କଳାହାଣ୍ଡି ଭାରତ ନେଟ୍‍-୧ରେ ଅନ୍ତର୍ଭୁକ୍ତ । ଭାରତ ନେଟ୍‍-୧ ଓଡ଼ିଶା ଭଳି ଗରିବ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧ହଜାର ଗାଁରେ କିନ୍ତୁ ମୋବାଇଲ୍‍ ପହଞ୍ଚିପାରିନାହିଁ । ଦେଶର ୩୫ ହଜାର ଗାଁ ମୋବାଇଲ୍‍ ସଂଯୋଗରୁ ଦୂରରେ ଥିବା ବେଳେ ଏହା ମଧ୍ୟରେ ଓଡ଼ିଶାର ସର୍ବାଧିକ ଗାଁ ରହିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । କେନ୍ଦ୍ର ସରକାର ମାଓ ଅଧ୍ୟୁଷିତ ସମସ୍ତ ଗ୍ରାମକୁ ମୋବାଇଲ୍‍ ସଂଯୋଗ ଦେବା ପାଇଁ ସ୍ଥିର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଟେଲି ସାନ୍ଦ୍ରତା ୭୫.୭୪ ରହିଥିବା ବେଳେ ଜାତୀୟ ସ୍ତରରେ ଏହା ୯୦.୧୧ ରହିଛି ।

ଓଡ଼ିଶାରେ ୫୧,୩୫୩ ଗାଁ ମଧ୍ୟରୁ ୧୧ ହଜାର ଗାଁରେ ମୋବାଇଲ୍‍ ସଂଯୋଗ ନାହିଁ । ବ୍ୟବସ୍ଥାର ଉନ୍ନତି ଲାଗି କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିବାକୁ ରାଜ୍ୟ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ପ୍ରସଙ୍ଗକୁ ଓଡ଼ିଶା ସରକାର କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରାଳୟ ନିକଟରେ ଉପସ୍ଥାପନ କରିଛନ୍ତି ।

Related Posts