
ଭୁବନେଶ୍ୱର,୨୫/୭(ସତ୍ୟପାଠ ବ୍ୟୁରୋ): ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ର ନାଁ ବଦଳାଇବାକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏନେଇ ଗତ ୧୯ ତାରିଖରେ ସରକାର ବିଜ୍ଞପ୍ତି ବାହାର କରିବା ପରେ, ଚାରିଆଡୁ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ଆଉ ଶେଷରେ ୨୧ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଘୋଷଣା କରିବାକୁ ପଡିଲା ଯେ, ଏହାର ନାଁରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଲେ ଯେ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ପରିବର୍ତ୍ତନ ନେଇ ସେ ଗଣମାଧ୍ୟମରୁ ସୂଚନା ପାଇଲେ, ଏନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ। ଅର୍ଥାତ୍ ଏନେଇ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଓ ମୁଖ୍ୟମନ୍ତ୍ରୀ ଜାଣିନଥିଲେ।

ହେଲେ ଥରେ ଭଲ କରି ଦେଖନ୍ତୁ, ଗତ ୧୯ ତାରିଖର କ୍ରୀଡା ବିଭାଗର ଏହି ବିଜ୍ଞପ୍ତି କୁ । ଏଥିରେ କୌଣସି ନିର୍ଦ୍ଦେଶକ କିମ୍ୱା ତଳିଆ କର୍ମଚାରୀ ଙ୍କ ଦସ୍ତଖତ ନାହିଁ । ଖୋଦ୍ କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ଦସ୍ତଖତ ରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଉ ସବୁଠାରୁ ବଡ଼ କଥା ହେଲା, ବିଜ୍ଞପ୍ତିରେ ଲେଖା ଅଛି ‘by order of Governor’ । ତେବେ ସଚିବାଳୟର ନିୟମାବଳୀକୁ ବୁଝିଥିବା ଲୋକ ଠିକ୍ ଜାଣି ପାରିବେ ଯେ, ଯେତେବେଳେ ଜଣେ ସଚିବ କୌଣସି ବିଜ୍ଞପ୍ତି ରେ ‘by the order of Governor’ ଲେଖି ଦସ୍ତଖତ ମାରୁଛନ୍ତି, ଏହାର ଅର୍ଥ ଏହି ବିଜ୍ଞପ୍ତି ନେଇ ବିଭାଗୀୟ ମନ୍ତ୍ରୀଙ୍କର ସ୍ଵୀକୃତି ରହିଛି। ଆଉ ମନ୍ତ୍ରୀଙ୍କର ସ୍ଵୀକୃତି ରହିଛି ଅର୍ଥ ଏନେଇ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ, ଏନେଇ ସେ ଗଣମାଧ୍ୟମରୁ ଜାଣିଲେ। ଯଦି ମୁଖ୍ୟମନ୍ତ୍ରୀଙ୍କ କଥା ସତ ହୁଏ, ତାହେଲେ ଉଭୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ଭାସ୍କର ଜ୍ୟୋତି ଶର୍ମା ଏହି ବିଜ୍ଞପ୍ତି କାଢ଼ିଥିଲେ। ଯେଉଁଥିପାଇଁ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଲା, ତାହେଲେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଭାସ୍କର ଜ୍ୟୋତି ଶର୍ମାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି? ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କୁ ନଜଣାଇ ଯଦି ଏହି ବିଜ୍ଞପ୍ତି ନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର ଅନୁମୋଦନ ଥିଲା ତାହେଲେ, ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ କାହିଁକି ମନ୍ତ୍ରୀଙ୍କୁ ଜବାବ ତଲବ କରି ନାହାନ୍ତି?

ଏଭଳି ଅନେକ ପ୍ରଶ୍ନ ଏବେ ଉଠୁଛି। ସେପଟେ କିନ୍ତୁ ବିବାଦ ବଢିବା ପରେ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ବଦଳିବନି କହି ମୁଖ୍ୟମନ୍ତ୍ରୀ ଚୁପ୍ ବସି ପଡ଼ିବାରୁ ଏହା ପଛରେ ତାଙ୍କର ସ୍ଵୀକୃତି ଥିବା ଚର୍ଚ୍ଚା ହେଉଛି। ନାଁ ବଦଳିବା ନେଇ ଗଣମାଧ୍ୟମରୁ ଜାଣିଲି ବୋଲି କହିଲେ ମଧ୍ୟ ବିଜ୍ଞପ୍ତିରେ ସଚିବଙ୍କ ଦସ୍ତଖତ ମୋହନଙ୍କ ମିଛ ଧରେଇ ଦେଲା ବୋଲି କୁହାଯାଉଛି ।