ବଜେଟ୍-୨୦୨୩; ୩ ବର୍ଷରେ ନିଯୁକ୍ତ ହେବେ ୩୮ ହଜାର ୮ ଶହ ଶିକ୍ଷକ, ଦେଶରେ ସ୍ଥାପନ ହେବ ୧୫୭ ନୂଆ ନର୍ସିଂ କଲେଜ

ଭୁବନେଶ୍ୱର,୧/୨(ସତ୍ୟପାଠ ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଲୋକସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ନରେନ୍ଦ୍ର ମୋଦି ସରକାରଙ୍କ ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ୍। ଏହି ଅବସରରେ ଅର୍ଥମନ୍ତ୍ରୀ ଶିକ୍ଷା ଜଗତ, ରୋଜଗାର, କୌଶଳ ବିକାଶ ଏବଂ ଉଦ୍ୟମିତା ପ୍ରୋତ୍ସାହନ ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି। ଆଗାମୀ ୩ ବର୍ଷ ମଧ୍ୟରେ ସରକାର ଆଦିବାସୀ ଛାତ୍ରଙ୍କ ପ୍ରୋତ୍ସାହନ ପାଇଁ ୭୪୦ ଏକଲବ୍ୟ ମଡେଲ ସ୍କୁଲ ପାଇଁ ୩୮ ହଜାର ୮୦୦ ଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ନିଯୁକ୍ତ କରିବେ। ୧୫୭ଟି ମେଡିକାଲ କଲେଜରେ ୧୫୭ଟି ନର୍ସିଂ କଲେଜ ସ୍ଥାପନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପାଇଁ ୩ଟି ଉତ୍କୃଷ୍ଟ ସଂସ୍ଥା ସ୍ଥାପନ କରାଯିବ। କୃଷି, ସ୍ଵାସ୍ଥ୍ୟ ଏବଂ ସହରୀ ବିକାଶ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ କାମ ହେବ। ରାଷ୍ଟ୍ରୀୟ ସ୍ତରରେ ଜାତୀୟ ଡିଜିଟାଲ ଲାଇବ୍ରେରୀ ପ୍ରତିଷ୍ଠା ହେବ। ଡିଜିଟାଲ ଲାଇବ୍ରେରୀ ପାଇଁ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ ତରଫରୁ ପୁସ୍ତକ ଯୋଗାଇ ଦିଆଯିବ। ମେଡିକାଲ କଲେଜରେ ରିସର୍ଚ ଏବଂ ମାନ୍ୟୁଫାକଚୁରିଂ ପାଇଁ ତିଆରି ହେବ। ସାକ୍ଷରତା ବୃଦ୍ଧି ପାଇଁ ଏନଜିଓ ସହ ମିଶି କାମ କରାଯିବ। ଫାର୍ମାରେ ରିସର୍ଚ୍ଚ ପାଇଁ ନୂଆ ରିସର୍ଚ୍ଚ ଯୋଜନା କରାଯିବ।

ସେହିଭଳି ଆଗାମୀ ୩ ବର୍ଷ ମଧ୍ୟରେ ୪୭ ଲକ୍ଷ ଯୁବଙ୍କୁ ନ୍ୟାସନାଲ ଆପ୍ରେଣ୍ଟିସ୍ ସ୍କିମ୍‌ର ଲାଭ ମିଳିବ। ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ସ୍କିଲ୍ ସୁଧାରିବାକୁ ଅବସର ମିଳିବ। ଏଥିପାଇଁ ମିଶନ କର୍ମଯୋଗୀ ଯୋଜନାର ଘୋଷଣା କରାଯାଇଛି। ମତ୍ସ୍ୟପାଳନ କ୍ଷେତ୍ରରେ ରୋଜଗାର ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର ୬୦ ହଜାର କୋଟି ଖୋର୍ଚ୍ଚ କରିବେ।

Related Posts