ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ରାଜ୍ୟରେ ବଢ଼ିବା ପରେ ଏନେଇ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ପେଟ୍ରୋଲ ଡିଜେଲ ଦର ବଢ଼ିବାର ୨୪ ଘଣ୍ଟା ନ ପୁରୁନୁ ବଢ଼ିଲା ବସ ଭଡ଼ା। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା ୨ପଇସା ବଢ଼ିଥିବା ବେଳେ ଡିଲକ୍ସ, ଏସି ଡିଲକ୍ସ ଓ ସୁପର ଡିଲକ୍ସ ବସ୍ ଭଡ଼ା ୪ରୁ ୬ ପଇସା ବୃଦ୍ଧି ପାଇଛି। ଆଜି ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସାଧାରଣ ବସ୍ ଭଡ଼ା ପ୍ରତି କିମି ପିଛା ୮୮ ପଇସା ଥିବା ବେଳେ ଏବେ ୯୦ ଓ ଏକ୍ସପ୍ରେସ୍ ବସ୍ ଭଡ଼ା ୯୨ ପଇସାରୁ ୯୪ ପଇସାକୁ ବୃଦ୍ଧି ପାଇଛି।
ସେହିପରି ଡିଲକ୍ସ ବସ୍ ଭଡ଼ା ୧୨୭ ପଇସାରୁ ୧୩୧ ପଇସା, ଏସି ଡିଏକ୍ସ ୧୫୫ ପଇସାରୁ ୧୫୯ ପଇସା ଓ ସୁପର ଡିଲକ୍ସ ଭଡ଼ା ୨୪୧ ପଇସାରୁ ୨୪୭ ପଇସାକୁ ବୃଦ୍ଧି ପାଇଛି। ୨୦୨୧ ମସିହା ଓ ୨୦୧୫ ମସିହାରେ ବିଭାଗ ପକ୍ଷରୁ ଯେଉଁ ସର୍ତ୍ତାବଳୀ ଲାଗୁ ହୋଇଥିଲା ତାହା ଜାରି ରହିବ। ବସ୍ ଭଡ଼ା ବଢ଼ାଇବା ଲାଗି ଘରୋଇ ବସ୍ ମାଲିକ ସଂଘ ପରିବହନ ବିଭାଗ ନିକଟରେ ଦାବି କରିଆସୁଥିଲା।
