ନିଟ୍ ରେ କମ୍ ମାର୍କ ଓ ଶସ୍ତା ଫି ଯୋଗୁ ୟୁକ୍ରେନ ଯାଇଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ଆଡମିଶନ ଦେଇ ପାରିବୁ ନାହିଁ: କେନ୍ଦ୍ର ସରକାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତ କଣ ହେବ ? ସେମାନଙ୍କୁ ଭାରତୀୟ ବିଶ୍ଵ ବିଦ୍ୟାଳୟରେ ପଢିବାକୁ ଅନୁମତି ଦେବାକୁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଛାତ୍ର ଛାତ୍ରୀ। ସେପଟେ ସୁପ୍ରିମକୋର୍ଟରେ ମଧ୍ୟ ଏନେଇ ନିଜ ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ ଫେରନ୍ତା ଛାତ୍ର-ଛାତ୍ରୀଙ୍କୁ ଭାରତୀୟ ବିଶ୍ଵ ବିଦ୍ୟାଳୟରେ ଆଡମିଶନର ସୁଯୋଗ ଦିଆଯାଇ ପାରିବ ନାହିଁ। ଛାତ୍ରମାନେ ୟୁକ୍ରେନରେ ନିଜର କଲେଜରୁ ଅନୁମତି ନେଇ ଅନ୍ୟ ଦେଶର ବିଶ୍ଵ ବିଦ୍ୟାଳୟକୁ ଟ୍ରାନ୍ସଫର କରିବାର ବିକଳ୍ପ ଚୟନ କରି ପାରିବେ ବୋଲି ସରକାର କହିଛନ୍ତି। ସରକାର ଆହୁରି କହିଛନ୍ତି ଯେ, ନିଟ୍ ପରୀକ୍ଷାରେ ଖରାପ ମାର୍କ କିମ୍ବା ଶସ୍ତା ଫି କାରଣରୁ ଛାତ୍ର-ଛାତ୍ରୀମାନେ ୟୁକ୍ରେନରେ ମେଡିକାଲ କଲେଜର ଚୟନ କରିଥିଲେ। ଯଦି ନିଟ୍ ପରୀକ୍ଷାରେ କମ ସ୍କୋର କରିଥିବା ଛାତ୍ର-ଛାତ୍ରୀଙ୍କୁ ଭାରତରେ ବିଶ୍ଵ ବିଦ୍ୟାଳୟଗୁଡିକରେ ସିଟ୍ ଦିଆଯାଏ ତେବେ ପୂର୍ବରୁ ପଢୁଥିବା ଛାତ୍ର-ଛାତ୍ରୀମାନେ ଆପତ୍ତି କରି ପାରନ୍ତି। କମ୍ ନିଟ୍ ସ୍କୋର ଥିବା ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ର- ଛାତ୍ରୀଙ୍କୁ ଭାରତୀୟ କଲେଜଗୁଡିକରେ ନାମ ଲେଖା ପାଇଁ ସୁଯୋଗ ଦେବା ଦେଶର ଡାକ୍ତରୀ ଶିକ୍ଷା ମାନଦଣ୍ଡକୁ ପ୍ରଭାବିତ କରିବ ବୋଲି ସରକାର କହିଛନ୍ତି।

କୋର୍ଟରେ ଦେଇଥିବା ନିଜର ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଯେ, କମନ୍ ନିଟ୍ ପରୀକ୍ଷା ୨୦୧୮ରୁ ଆୟୋଜିତ କରାଯାଉଛି। ଏଥିରେ ୫୦ ପ୍ରତିଶତରୁ ଅଧିକ ମାର୍କ ରଖୁଥିବା ଛାତ୍ର-ଛାତ୍ରୀ ଭାରତୀୟ ମେଡିକାଲ୍ କଲେଜଗୁଡିକରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ହେଲେ ଅନେକ ଛାତ୍ର ଛାତ୍ରୀ ନିଟ୍ ପରୀକ୍ଷାରେ ଖରାପ ସ୍କୋର କିମ୍ବା ଶସ୍ତା ଫି କାରଣରୁ ୟୁକ୍ରେନର ବିଶ୍ଵ ବିଦ୍ୟାଳୟର ଚୟନ କରିଥିଲେ। ଏବେ ସେମାନଙ୍କୁ ଭାରତୀୟ ବିଶ୍ଵ ବିଦ୍ୟାଳୟରେ ସିଟ୍ ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।

Related Posts