ଭବାନୀପାଟଣା ସଭାରେ ରାଜନାଥଙ୍କ ସମ୍ବୋଧନ

ଭୁବନେଶ୍ୱର,୦୮/୫(ସତ୍ୟପାଠ ବ୍ୟୁରୋ):     ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତାଙ୍କର ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ । ଏହି ସମୟରେ ଭବାନୀପାଟଣା ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମ୍ବୋଧନ କରିଛନ୍ତି । ପ୍ରଥମ ଥର ଆସି ଏତେ ପରିମାଣରେ ସ୍ୱାଗତ ସମ୍ବର୍ଦ୍ଧନା ପାଇ ଅତ୍ୟନ୍ତ ଖୁସି ଥିବା କହିଛନ୍ତି ରାଜନାଥ ।

ଏହା ପ୍ରଭୁ ଜଗନ୍ନାଥ ଓ ମାଆ ମାଣିକେଶ୍ୱରୀଙ୍କ ଧରିତ୍ରୀ । କଳାହାଣ୍ଡି ଗରିବୀ ଓ ଦାରିଦ୍ର ପାଇଁ ପରିଚିତ ଥିବା କହିଛନ୍ତି ରାଜନାଥ । ପ୍ରତ୍ୟେକ ଅଞ୍ଚଳ ବିକଶିତ ନହେଲେ ବିକଶିତ ଭାରତ ସମ୍ଭବ ନୁହେଁ ବୋଲି କହିଛନ୍ତି । ଅନ୍ୟପଟେ ଗରିବୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । କିନ୍ତୁ କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲାନି ବୋଲି କହିଛନ୍ତି ରାଜନାଥ ।

ଗରିବୀକୁ ନେଇ କଂଗ୍ରେସକୁ ନିଶାନା କରିଛନ୍ତି ରାଜନାଥ ସିଂହ । ଅନେକ NGO ଗରିବୀ ପର୍ଯ୍ୟଟନ ପାଇଁ ଏଠାକୁ ଆସୁଥିଲେ । ଏଠୁ ଯାଇ ଏଠାକାର ଦାରିଦ୍ର୍ୟ ବାବଦରେ ଖବରକାଗଜରେ ଲେଖୁଥିଲେ । ମୋଦିଙ୍କ ନେତୃତ୍ୱରେ ଅନେକ ସାମାଜିକ କଲ୍ୟାଣ କାମ ହୋଇଛି । ଆଗାମୀ ୫-୮ ବର୍ଷରେ କଳାହାଣ୍ଡି ବାବଦରେ ଏ ଧାରଣା ବଦଳିଯିବ ବୋଲି କହିଛନ୍ତି ରାଜନାଥ ।

୫୦/୫୫ ବର୍ଷ କ୍ଷମତାରେ ରହିବା ସତ୍ତ୍ୱେ ଗରିବୀ ଦୂର ହେଲାନି । କଂଗ୍ରେସ କରିପାରିଲାନି କିନ୍ତୁ ମୋଦି କରି ଦେଖାଇଲେ । ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି ସରକାର ଆସିଲେ ଆୟୁଷ୍ମାନ କାର୍ଡ ମିଳିବ । ଗରିବ ହେଉ କି ଧନୀ, ସମସ୍ତଙ୍କୁ ଆୟୁଷ୍ମାନ ସୁବିଧା ମିଳିବ ବୋଲି କହିଛନ୍ତି ରାଜନାଥ । ଯାହା କହିଥିଲୁ ତାହା କରି ଦେଖାଇଛୁ । ଧାରା ୩୭୦ ହଟାଇବୁ କହିଥିଲୁ, ହଟାଇଲୁ ।

ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଲୁ । ଯାହା ଆମେ କହୁ ତାହା କରୁ, ଏହା ଆମ ଚରିତ୍ର ବୋଲି କହିଛନ୍ତି । ସେହିପରି ତିନି ତଲାକ୍ ସମାପ୍ତ କରିବାକୁ କହିଥଲୁ, ସମାପ୍ତ କଲୁ । ଭବାନୀପାଟଣା ଜନସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାଜନାଥ । ୫୦ ବର୍ଷ କଂଗ୍ରେସ ସରକାର, ୨୫ ବର୍ଷ ବିଜେଡି ସରକାର ଦେଖିବା ପରେ ବିଜେପିକୁ ପାଞ୍ଚ ବର୍ଷ ଦେବାକୁ ଅନୁରୋଧ କରିଛନ୍ତି ରାଜନାଥ ।

କଂଗ୍ରେସ ସବୁ ବେଳେ ନକରାତ୍ମକ ରାଜନୀତି କରିଥାଏ । ବିଜେପିର କାର୍ଯ୍ୟ ପ୍ରଣାଳୀ ବର୍ଣ୍ଣନା କରିବାକୁ ଯାଇ ରାଜନାଥ କହିଛନ୍ତି, ଆମ ସରକାର ଆସିବା ପରେ ଆତଙ୍କବାଦୀ ଆକ୍ରମଣ କମିଛି । ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି । ଏଣୁ ବିଜେପିକୁ କ୍ଷମତାକୁ ଆଣନ୍ତୁ ବୋଲି ଅନୁରୋଧ କରିଛନ୍ତି ରାଜନାଥ ସିଂହ ।

Related Posts