ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସିବିଆଇ ପଞ୍ଝାରେ ଇଡି ଅଧିକାରୀ | ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ED ଡେପୁଟି ଡାଇରେକ୍ଟର | ଭୁବନେଶ୍ବରସ୍ଥିତ କାର୍ଯ୍ୟଳୟରେ କାର୍ଯ୍ୟରତ ‘ଇଡି’ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଧରିଲା CBI। ଦୁର୍ନୀତି ମାମଲାରେ ଅନ୍ୟକୁ ବାନ୍ଧୁଥିବା ଅଧିକାରୀ ନିଜେ ଲାଞ୍ଚ ନେଇ ଧରା ପଡିଛନ୍ତି |

ସୂଚନା ଅନୁସାରେ, ଖଣିଜନିତ ଏକ ମାମଲାର ରଫାଦଫା କରିବା ପାଇଁ ୨୦୧୩ ବ୍ୟାଚର ଆଇଆରଏସ୍‌ ଅଧିକାରୀ ତଥା ଇଡିର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ଦେଇଥିବା ବ୍ୟକ୍ତି ଜଣକ ଏନେଇ ସିବିଆଇରେ ଅବଗତ କରିଥିଲେ। ସିବିଆଇ ସୂଚନା ଆଧାରରେ ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଆଜି ୨୦ ଲକ୍ଷ ଟଙ୍କା ନେଉଥିବା ବେଳେ ଅତର୍କିତ ଚଢ଼ାଉ କରି ଧରିଛି। ଘଟଣାସ୍ଥଳରୁ ସିବିଆଇର ବରିଷ୍ଠ ଅଧିକାରୀମାନେ ରଙ୍ଗବ‌ୋଳା ୨୦ ଲକ୍ଷ ଟଙ୍କା ଜବତ କରିଛନ୍ତି। ଅଭିଯୁକ୍ତ ଚିନ୍ତନ ରଘୁବଂଶୀଙ୍କୁ ଏବେ ସିବିଆଇ ଭୁବନେଶ୍ୱର କାର୍ଯ୍ୟାଳୟରେ ପଚରାଉଚୁରା କରୁଥିବା ବେଳେ। ତାଙ୍କୁ ଗିରଫ କରାଯାଇଥିବା କୁହାଯାଉଛି | ହେଲେ ଏନେଇ CBI ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ |