କ୍ୟାସ୍ କାଣ୍ଡ; ଜଷ୍ଟିସ୍ ଯଶୱନ୍ତଙ୍କ ବିରୋଧରେ ସଂସଦରେ ଆସିବ ମହାଭିଯୋଗ ପ୍ରସ୍ତାବ!

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦୁଇ ମାସ ତଳେ ଦିଲ୍ଲୀ ହାଇକୋର୍ଟର ବିଚାରପତିଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଘରୁ ପ୍ରାୟ ୧୫ କୋଟି ନଗଦ ମିଳିଥିଲା, ଯାହାକି ସେତେବେଳେ କେବଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିନଥିଲା ବରଂ ଦେଶର ନ୍ୟାୟପାଳିକାକୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖିଥିଲା । ଏବେ ଏହି ଘଟଣାରେ ନରେନ୍ଦ୍ର ମୋଦି ସରକାର ସମ୍ପୃକ୍ତ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଯଶୱନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ଆସନ୍ତା ମୌସୁମୀ ଅଧିବେଶନରେ ଏହି ପ୍ରସ୍ତାବ ଆସିପାରେ । ସୂତ୍ର ମୁତାବକ, ଯଦି ନ୍ୟାୟଧୀଶ ଯଶୱନ୍ତ ବର୍ମା ନିଜ ଆଡୁ ଇସ୍ତଫା ନ ଦିଅନ୍ତି ତାହେଲେ ତାଙ୍କ ବିରୋଧରେ ସଂସଦରେ ମହାଭିଯୋଗ ଆଣିବା ନେଇ ବିଚାର କରାଯିବ ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୩ ଜଣିଆ କମିଟି ପୂର୍ବରୁ ଜଷ୍ଟିସ୍ ବର୍ମାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରୁ ଟଙ୍କା ବାହାରିବା ଘଟଣାକୁ ନିଶ୍ଚିତ କରିସାରିଛନ୍ତି । ଗତ ମାର୍ଚ୍ଚ ୧୪ ହୋଲି ଦିନ ରାତିରେ ବିଚାରପତିଙ୍କ ଘରୁ ଏହି ଟଙ୍କା ବାହାରିଥିଲା । ସେଦିନ ରାତିରେ ହଠାତ୍ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଆସି ଗୋଟିଏ ଘରେ ଏତେ ପରିମାଣରେ ଟଙ୍କା ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ପରେ ଘଟଣା ସାମ୍ନାକୁ ଆସିଥିଲା ।

ମେ’ ୮ରେ ଦେଶର ତତ୍କାଳୀନ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଜଷ୍ଟିସ ବର୍ମାଙ୍କ ବିରୋଧରେ ଦୁର୍ନୀତି ତଦନ୍ତ ପାଇଁ ଗଠିତ ତିନି ଜଣିଆ ଇନ୍-ହାଉସ କମିଟିର ରିପୋର୍ଟକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିଲେ । ମିଡିଆ ରିପୋର୍ଟ ଅନୁସାରେ, ବର୍ତ୍ତମାନ ରାଷ୍ଟ୍ରପତି ପୂର୍ବତନ ସିଜେଆଇଙ୍କ ଏହି ସୁପାରିଶକୁ ରାଜ୍ୟସଭା ଅଧ୍ୟକ୍ଷ ଓ ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି । ତେଣୁ ଆସନ୍ତା ମୌସୁମୀ ଅଧିବେଶନରେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବା ନେଇ ସୂତ୍ରରୁ ସୂଚନା ମିଳିଛି ।

ତେବେ ରାଜ୍ୟସଭାରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବର ବିଚାର ପାଇଁ ଅତିକମରେ ୫୦ ସଦସ୍ୟଙ୍କ ସମର୍ଥନ ଏବଂ ଲୋକସଭାରେ ଅନୂନ୍ୟ ୧୦୦ ଜଣ ସଦସ୍ୟଙ୍କ ସମର୍ଥନ ମିଳିବା ଆବଶ୍ୟକ । ଯଦି ଜଷ୍ଟିସ୍ ବହିଷ୍କୃତ ହୁଅନ୍ତି, ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାରେ ସେ ଦେଶର ପ୍ରଥମ ବିଚାରପତି ହେବେ । ଆସନ୍ତା ଜୁଲାଇ ତୃତୀୟ ସପ୍ତାହରେ ସଂସଦର ମୌସୁମୀ ଅଧିବେଶନ ବସିପାରେ ।

ମହାଭିଯୋଗ କଣ?

ମହାଭିଯୋଗ ହେଉଛି ଭାରତୀୟ ସମ୍ବିଧାନର ଏକ ଆଇନଗତ ଧାରା, ଯାହାଦ୍ୱାରା ଭାରତର ରାଷ୍ଟ୍ରପତି, ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କୁ ବିଭିନ୍ନ ସାମ୍ବିଧାନିକ ନିୟମ ଉଲ୍ଲଙ୍ଘନ ଅଭିଯୋଗ ଆଧାରରେ ସେମାନଙ୍କର କାର୍ଯ୍ୟ ଅବଧି ପୂରଣ ପୂର୍ବରୁ ବହିଷ୍କାର କରାଯାଇପାରିବ । ଏହି ଉଚ୍ଚତମ ସାମ୍ବାଧାନିକ ପଦ ପଦବୀରେ ଥିବା ବ୍ୟକ୍ତିବିଶେଷଙ୍କୁ ବହିଷ୍କାର ପାଇଁ ମହାଭିଯୋଗ ଏକମାତ୍ର ଉପାୟ ।

Related Posts