ହାଇଦ୍ରାବାଦ: ଦିଲ୍ଲୀ ମଦ ଦୁର୍ନୀତି ସଂକ୍ରାନ୍ତରେ କଲ୍ୱାକୁନ୍ତଳା କବିତାଙ୍କୁ ବଞ୍ଜରା ହିଲ୍ସ୍ସ୍ଥିତ ତାଙ୍କ ବାସଭବନରେ ପଚରା ଉଚରା କରିବ ସିବିଆଇ । ଆଜି ‘ସିବିଆଇ’ ‘ଭାରତ ରାଷ୍ଟ୍ର ସମିତି’ର ବିଧାନ ପରିଷଦର ସଦସ୍ୟା ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ କନ୍ୟା କବିତାଙ୍କୁ ପଚରାଉଚରା କରିବ ।
‘ସିବିଆଇ’ ଜେରା କରିବାର ଗୋଟିଏ ଦିନ ଆଗରୁ ହାଇଦ୍ରାବାଦରେ ‘ଯୋଦ୍ଧାର କନ୍ୟା ଭୟଭୀତ ହେବେନାହିଁ’, ‘ଆମେ କବିତାଙ୍କ ପାଖେ ପାଖେ ଅଛୁ’ ଆଦି ଲେଖାଯାଇଥିବା ପୋଷ୍ଟର୍ ସବୁ ଦେଖିବାକୁ ମିଳିଥିଲା।
ଏହି ମାମଲାରେ ‘ସିବିଆଇ’ ଜେରା କରିବାକୁ ଥିବାରୁ କବିତାଙ୍କ ବାସଭବନ ଚତୁଃପାର୍ଶ୍ବ ଜନଶୂନ୍ୟ ହୋଇଯାଇଛି। ଦଳସୂତ୍ରରୁ ପ୍ରକାଶ, ବାସଭବନ ସମ୍ମୁଖରେ ଏକତ୍ର ନ ହେବା ଲାଗି ନିଜାମାବାଦର ପୂର୍ବତନ ସାଂସଦ କେ. କବିତା ଦଳର ନେତା ଓ ସମର୍ଥକମାନଙ୍କୁ ଅନୁରୋଧ କରିଛନ୍ତି। ତଦନ୍ତରେ ସେ ‘ସିବିଆଇ’କୁ ସହଯୋଗ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।
‘ଏଏନ୍ଆଇ’ ରିପୋର୍ଟ ଅନୁସାରେ, କେ. କବିତାଙ୍କ ବାସଭବନ ବାହାରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯିବା ସହିତ ବାସଭବନ ନିକଟକୁ କାହାକୁ ନ ଛାଡ଼ିବା ଲାଗି ବାରିକେଡ୍ ବସାଯାଇଛି।
ଡିସେମ୍ବର ୬ରେ ଜେରା କରାଯିବ ବୋଲି ପ୍ରଥମେ କେ. କବିତାଙ୍କୁ କୁହାଯାଇଥିଲା। କିନ୍ତୁ, ‘ସିବିଆଇ’କୁ ସେ କହିଥିଲେ ଯେ, ତଦନ୍ତରେ ସହାୟତା କରିବା ଲାଗି ସେ ଡିସେମ୍ବର ୧୧, ୧୨, ୧୪ ଏବଂ ୧୫ ତାରିଖରେ ନିଜ ବାସଭବନରେ ଥିବେ।
