ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ CBSE ପରୀକ୍ଷା ଫଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ଙ୍କ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ । ତେବେ ଫଳ ପ୍ରକାଶ କୁ ନେଇ ଅନେକ ଦିନ ହେଲା ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ, ଏହାରି ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଫଳ ପ୍ରକାଶନ ଲାଗି ସ୍ଥିତି ସ୍ପଷ୍ଟ କରିଦେଇଛନ୍ତି।

ଏ ନେଇ ଶିକ୍ଷାମନ୍ତ୍ରୀ ଏକ ବୟାନ ଜାରି କରିଥିବା ବେଳେ ବିଳମ୍ବ ନୁହେଁ ବରଂ ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶନ ହେବ ବୋଲି କହିଛନ୍ତି। ପରୀକ୍ଷା ଫଳ ପ୍ରକାଶ ନେଇ ସେ ଅଧିକାରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି।

ସେ କହିଛନ୍ତି ଯେ ଜୁଲାଇ ଶେଷ ସପ୍ତାହରେ ପରୀକ୍ଷା ଫଳ ଘୋଷଣା କରିଦିଆଯିବ। ନଭେମ୍ବର ଓ ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ଏବଂ ଏପ୍ରିଲ, ମେ ଓ ଜୁନରେ ଅନୁଷ୍ଠିତ ଟର୍ମ-୨ ପରୀକ୍ଷା ଆଧାରରେ ବୋର୍ଡ ରେଜଲ୍ଟ ଘୋଷଣା ପାଇଁ ପ୍ରସ୍ତୁତି କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ଦଶମ ଶ୍ରେଣୀରେ ୨୧ ଲକ୍ଷରୁ ଅଧିକ ଓ ଦ୍ୱାଦଶ ଶ୍ରେଣୀରେ ୧୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ନାମ ପଞ୍ଜିକରଣ କରିଥିଲେ।

ପରୀକ୍ଷାରେ ପ୍ରାୟ ୩୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବସିଥିଲେ। ଇତିମଧ୍ୟରେ ଆଇସିଏସଇ ଦଶମଶ୍ରେଣୀ ପରୀକ୍ଷା ଫଳ ଘୋଷିତ ହୋଇଯାଇଛି। ଏବେ କର୍ତ୍ତୃପକ୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ପ୍ରସ୍ତୁତି ଚଳାଇଛନ୍ତି। ଆଇସିଏସଇ ଦ୍ୱାଦଶ ପରୀକ୍ଷା ଫଳ ମଧ୍ୟ ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇପାରେ ।

Related Posts