ବଲିଉଡ ଅଭିନେତ୍ରୀ ଅମିଷା ପଟେଲଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି: ପଢନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଅମିଷା ପଟେଲ୍ । ଅଭିନେତ୍ରୀଙ୍କ ବିରୋଧରେ ଜାରୀ ହୋଇଛି ଓ୍ଵାରେଣ୍ଟ । ମୁରାଦାବାଦର ଏକ ଅଦାଲତ ଓ୍ଵାରେଣ୍ଟ ଜାରି କରିଛନ୍ତି।

ନିର୍ଦ୍ଧାରିତ ତାରିଖରେ ହାଜର ନହେବାରୁ କୋର୍ଟ ଅମିଷାଙ୍କ ବିରୋଧରେ ଏହି ଓ୍ଵାରେଣ୍ଟ ଜାରି କରିଛନ୍ତି। ଏବେ ଅମିଷାଙ୍କୁ ଅଗଷ୍ଟ ୨୦ରେ ହାଜର ହେବାକୁ କୁହାଯାଇଛି। ମୁରାଦାବାଦର ଏକ ଇଭେଣ୍ଟ କମ୍ପାନୀ ଅମିଷା ପଟେଲ୍ ଏବଂ ସହଯୋଗୀଙ୍କ ଉପରେ ୧୧ ଲକ୍ଷ ଟଙ୍କା ନେଇ କାର୍ଯ୍ୟକ୍ରମକୁ ନଆସିବାର ଅଭିଯୋଗ କରିଛନ୍ତି।

ପୂରା ମାମଲା କଣ ?

ପବନ ବର୍ମା ଡ୍ରିମ ଭିଜନ ନାମରେ ମୁରାଦାବାଦରେ ଏକ ଇଭେଣ୍ଟ କମ୍ପାନୀ ଚଳାଉଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଅମିଷାଙ୍କୁ ୨୦୧୭ ନଭେମ୍ବର ୧୬ରେ ଏକ ବିବାହ ସମାରୋହରେ ଡ୍ୟାନ୍ସ କରିବାର ଥିଲା। ଏଥିପାଇଁ ସେ ୧୧ ଲକ୍ଷ ଟଙ୍କା ଆଡଭାନ୍ସ ନେଇଥିଲେ। ଅଭିନେତ୍ରୀ ଦିଲ୍ଲୀ ପର୍ଯ୍ୟନ୍ତ ଆସିଲେ। ପୁଣି ଦିଲ୍ଲୀରୁ ମୁରାଦାବାଦ ଅଧିକ ଦୂର କହି ଆହୁରି ୨ ଲକ୍ଷ ଟଙ୍କା ଦାବି କରିଥିଲେ। ଇଭେଣ୍ଟ କମ୍ପାନୀ ଦୁଇ ଲକ୍ଷ ଟଙ୍କା ନଦେବାରୁ ଅମିଷା କିଛି ନଜଣାଇ ଫେରି ଯାଇଥିଲେ।

ଇଭେଣ୍ଟ କମ୍ପାନୀ ଅଭିଯୋଗ କରିଛନ୍ତି ଯେ, ଅମିଷା ଏ ପର୍ଯ୍ୟନ୍ତ ଅଗ୍ରୀମ ବାବଦରେ ନେଇଥିବା ୧୧ ଲକ୍ଷ ଟଙ୍କା ବି ଫେରାଇ ନାହାନ୍ତି। ଡ୍ରିମ ଭିଜନ କମ୍ପାନୀର ମାଲିକ ପବନ କଲ୍ୟାଣଙ୍କ ପକ୍ଷରୁ ଅଦାଲତରେ ଅମିଷା ପଟେଲ୍ ଏବଂ ସହଯୋଗୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହା ଉପରେ ଶୁଣାଣି କରି କୋର୍ଟ ୨୦୨୨ ଅଗଷ୍ଟ ୨୦ରେ ହାଜର ହେବା ପାଇଁ ଅମିଷାଙ୍କ ସହିତ ୪ ଜଣଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି କରିଛନ୍ତି। ଅଭିଯୋଗମାନେ ହେଉଛନ୍ତି, ଅମିଷା ପଟେଲ୍, ସୁରେଶ କୁମାର, ରାଜକୁମାର ଗୋସ୍ଵାମୀ, ଅହମ୍ମଦ ଶରିଫ।

ଅମିଷା ପଟେଲ୍‌ଙ୍କ ଉପରେ ମୁରାଦାବାଦର ଅଦାଲତରେ ଧାରା ୧୨୦ ବି, ୪୦୬, ୫୦୪, ୪୨୦ ଏବଂ ୫୦୬ ଆଇପିସି ଆଧାରରେ ଶୁଣାଣି କରାଯାଇଛି। ଏବେ ଦେଖିବା ବାକି ରହିଲା ଯେ, ଅଭିନେତ୍ରୀ ଅଗଷ୍ଟ ୨୦ରେ କୋର୍ଟରେ ହାଜର ହେଉଛନ୍ତି କି ନାହିଁ।

Related Posts