୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ସହିଦ ସପ୍ତାହ ପାଳନ

ମାଲକାନଗିରି: ସହୀଦ ସପ୍ତାହପାଳନ କରିବେ ନକ୍ସଲ । ଚଳିତ ମାସ ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ମାନେ ସହିଦ ସପ୍ତାହ ପାଳନ କରିବାକୁ ଯାଉଛନ୍ତି। ଏଥିପାଇଁ ମାଲକାନଗିରିର ସୀମାନ୍ତ ଗ୍ରାମଗୁଡିକରେ ଏବେ ନକ୍ସଲଙ୍କ ପୋଷ୍ଟର ଏବଂ ବ୍ୟାନର ଦେଖିବାକୁ ମିଳିଛି। ଏଥିସହ ଛତିଶଗଡର ବିଭିନ୍ନ ନକ୍ସଲ ପ୍ରବଣ ଜିଲ୍ଲାରେ ମଧ୍ୟ ଏହା ଦେଖିବାକୁ ମିଳିଛି।

ସହିଦ ସପ୍ତାହ ବେଳକୁ ନକ୍ସଲ ନିଶ୍ଚିତ ଭାବେ ଛୋଟ ବଡ ଅଘଟଣ ଘଟାଇଥାନ୍ତି। ଏହାକୁ ଆଖିଆଗରେ ରଖି ମାଲକାନଗିରି ପୁଲିସ ଏବଂ ଛତିଶଗଡ ପୁଲିସ ତରଫରୁ ବ୍ୟାପକ ସୁରକ୍ଷାର ବ୍ୟବସ୍ଥା କରାଯାଉଛି। ସୀମାନ୍ତକୁ ସିଲ କରାଯିବା ସହ ନକ୍ସଲଙ୍କ ଗତିବିଧି ଉପରେ ଶକ୍ତ ନଜର ରଖାଯାଉଛି। ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ସୀମାନ୍ତ ଗ୍ରାମଗୁଡିକରେ ନକ୍ସଲ ପୋଷ୍ଟର ଏବଂ ବ୍ୟାନର ମାରି ଲୋକଙ୍କୁ ଭୟଭୀତ କରିବା ସହ ବିପୁଳ ସଂଖ୍ୟାରେ ସହିଦ ଦିବସରେ ଭାଗ ନେବାକୁ ଆହ୍ବାନ କରୁଥିବା ଦେଖିବାକୁ ମିଳିଛି।

ପ୍ରକାଶ ଥାଉକି ପୁଲିସ ସହ ନକ୍ସଲର ଗୁଳିବିନିମୟ ସମୟରେ ଯେଉଁ ନକ୍ସଲମାନେ ସହିଦ ହୋଇଥାନ୍ତି ତାଂକ ଉଦେଶ୍ୟରେ ଏହି ସହିଦ ସପ୍ତାହ ପାଳନ କରାଯାଇଥାଏ। ଏହି ସମୟରେ ନକ୍ସଲ ହିଂସାତ୍ମକ ହୋଇପଡନ୍ତି। ନକ୍ସଲ ପ୍ରବଣ ଅଂଚଳରେ ପୁଲିସ ହାଇଆଲର୍ଟ ଜାରି କରିଛି। ଛତିଶଗଡ ପୁଲିସ ତରଫରୁ ମଧ୍ୟ ସୀମାନ୍ତ ଗ୍ରାମ ସହ ନକ୍ସଲ ପ୍ରବଣ ଗ୍ରାମଗୁଡିକରେ କୁମ୍ବିଂକୁ ଜୋରଦାର କରିଛି।

Related Posts