
ନୂଆଦିଲ୍ଲୀ: ଶନିବାର ଦେଶର ନ୍ୟୁଜ୍ ଚ୍ୟାନେଲ ପାଇଁ ଗାଇଡ ଲାଇନ । ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଦିଲ୍ଲୀ ଦଙ୍ଗାର ଟିଭି କଭରେଜ ଉପରେ ଆପତ୍ତି ଉଠାଇ ନୂଆ ପରାମର୍ଶ ଜାରୀ କରିଛନ୍ତି କେନ୍ଦ୍ର ସରକାର। ଏଥିରେ ଆଇନ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସଂହିତାର ଅନୁପାଳନ କରିବାକୁ କୁହାଯାଇଛି।
ୟୁକ୍ରେନ-ରୁଷ ଯୁଦ୍ଧ ଉପରେ ରିପୋର୍ଟିଂ ସମୟରେ ଉପସ୍ଥାପକଙ୍କ ଖବର ପରିବେଷଣ ଶୈଳୀ ଏବଂ ସମ୍ବେଦନଶୀଳ ଟ୍ୟାଗଲାଇନ ପ୍ରସାରଣ ତଥା ସତ୍ୟତା ଯାଞ୍ଚ ନକରି ସିସିଟିଭି ଫୁଟେଜ ପ୍ରସାରଣ କରିବା ପରି ଘଟଣାକୁ ସରକାର ଉଦାହରଣ ରୂପେ ଦର୍ଶାଇଛନ୍ତି। ଏହାସହ ଏହିପରି ଖବର ପ୍ରସାରଣ କରି ଉତ୍ତର-ପଶ୍ଚିମ ଦିଲ୍ଲୀରେ ହୋଇଥିବା ଘଟଣାର ତଦନ୍ତର ପ୍ରକ୍ରିୟାରେ ବାଧା ସୃଷ୍ଟି କରାଯାଉଥିବା ସରକାର କହିଛନ୍ତି।
ଏହାସହ ସରକାର କହିଛନ୍ତି ଉତ୍ତର-ପଶ୍ଚିମ ଦିଲ୍ଲୀରେ ହୋଇଥିବା ଘଟଣା ଉପରେ ଟିଭି ଚ୍ୟାନେଲ ଗୁଡିକର କିଛି ବିତର୍କ ଅସାମ୍ୱିଧାନିକ ଏବଂ ଲୋକଙ୍କୁ ଉତ୍ତେଜିତ କରିବା ପରି ଥିଲା, ଯାହା ସାମାଜିକ ରୂପେ ଗ୍ରହଣଯୋଗ୍ୟ ନୁହେଁ।
ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ଉତ୍ତର ପଶ୍ଚିମ ଦିଲ୍ଲୀର ଜହାଙ୍ଗିରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା। ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ସଂଘର୍ଷ ପରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲେ। ଏହି ଘଟଣାରେ ପୋଲିସ 9 ଜଣ ଅଭିଯୁକ୍ତଂକୁ ଗିରଫ କରିଛି ।