
ନୂଆଦିଲ୍ଲୀ : ଅନେକ ସମୟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆସୁଥିବା ଟିଏମସି ନେତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଦରଦାମ ବୃଦ୍ଧି ମାମଲାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି | କେନ୍ଦ୍ର ସରକାର ଜନତାଙ୍କ ପକେଟରୁ ଲୁଟ କରୁଥିବା ବେଳେ, ଏବେ କେନ୍ଦ୍ର ସରକାର ଲୁଟେରା ପାଲଟି ଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି | ପ୍ରତିବାଦ କରିଲେ ହିନ୍ଦୁ-ମୁସଲମାନ ଦଙ୍ଗା ସୃଷ୍ଟି ହେଉଛି । ଏପରି ଅଭିଯୋଗ କରିଛନ୍ତି ମମତା ।
ସୂଚନାନୁସାରେ, ବୁଧବାର ମଧ୍ୟାହ୍ନ ୧୨ ଟାରେ ସେ ପଶ୍ଚିମ ମେଦିନୀପୁରରେ କର୍ମୀ ସଭାରେ ଯୋଗ ଦେଇଥିଲେ ମମତା । ସଭାରେ ସାଂସଦ ଦୀପକ ଅଧିକାରୀ, ଜୁନ ମାଲିଆ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ସଭରେ ମମତା ରାଜ୍ୟବାସୀଙ୍କୁ ଏକାଧିକ ପ୍ରତିଶୃତି ଦେଇଥିଲେ । ପଶ୍ଚିମ ମେଦିନୀପୁରର ନବୀକରଣ ପାଇଁ ସେ କଥା ଦେଇଥିଲେ । ଏହାସହ ମମତା ମୁଦ୍ରାସ୍ଫୀତି ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଥିଲେ ।
ସେ କହିଥିଲେ ଯେ, ସମୁଦ୍ରର ଢେଉ ପରି ଗ୍ୟାସର ମୂଲ୍ୟ ବଢୁଛି । ଗୋଟିଏ ପରେ ଗୋଟିଏ ଢେଉ ସହ ମୂଲ୍ୟ ଆକାଶଛୁଆଁ ହେଉଛି । ଲୋକଙ୍କ ପକେଟରୁ ଲୁଟ୍ ହେଉଛି । ଔଷଧର ମୂଲ୍ୟ ବୃଦ୍ଧି ନେଇ ମମତା ମଧ୍ୟ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ଔଷଧ ମଣିଷ ପାଇଁ ଏକ ଆବଶ୍ୟକୀୟ ଜିନିଷ । ପ୍ରାୟ ସମସ୍ତ ଲୋକ ମଧୁମେହ, ରକ୍ତଚାପ ଔଷଧ ବ୍ୟବାହର କରନ୍ତି । ଏହାର ମୂଲ୍ୟ ବୃଦ୍ଧି ପାଇଛି । ବାସ୍ତବରେ ଲୋକମାନଙ୍କୁ ମାରିବା ପାଇଁ ଏହି ସରକାର କାର୍ଯ୍ୟ କରୁଛି ।
ମମତା ଆହୁରି କହିଥିଲେ ଯେ, କେନ୍ଦ୍ର ସରକାର ଗ୍ୟାସ, ପେଟ୍ରୋଲ ଏବଂ ଔଷଧରୁ କୋଟି କୋଟି ଟଙ୍କା କଟମନି ପାଉଛି । ପ୍ରତିବାଦ କରିଲେ ହିନ୍ଦୁ-ମୁସଲମାନ ଦଙ୍ଗା କରାଯାଉଛି । ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସଭାରୁ ମମତା ଦିଲ୍ଲୀ ବିଜୟ ପାଇଁ ଲୋକଙ୍କୁ ଆହ୍ୱାନ ମଧ୍ୟ କରିଥିଲେ ।