ପେଗାସସ୍‍ ଜାସୁସି ମାମଲାରେ ସତ୍ୟପାଠ ଦାଖଲ ପାଇଁ ମନାକଲେ କେନ୍ଦ୍ର ସରକାର , ଭର୍ତ୍ସନା କଲେ ସୁପ୍ରିମକୋର୍ଟ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : କଥିତ ପେଗାସସ୍ ଜାସୁସି ମାମଲାର ନିରପେକ୍ଷ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଆବେଦନ ହୋଇଥିବା ୟାଚିକାର ଶୁଣାଣି ହୋଇଛି। ଶୁଣାଣି ସମୟରେ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ କଥିତ ପେଗାସସ୍ ଜାସୁସି ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ହୋଇଥିବା ଆବେଦନ ଉପରେ ସତ୍ୟପାଠ ଦାଖଲ କରି ହେବ ନାହିଁ। ଜାତୀୟ ସୁରକ୍ଷା କାରଣରୁ ସତ୍ୟପାଠ ଦାଖଲ କରିବାକୁ ମନା କରି ଦେଇଛନ୍ତି କେନ୍ଦ୍ର ସରକାର। ସେପ୍ଟେମ୍ବର ୭ ରେ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏନ.ଭି. ରାମନାଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ ଏହି ଆବେଦନ ଉପରେ ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସମୟ ଦେଇଥିଲେ।  କେନ୍ଦ୍ର  ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, “କେନ୍ଦ୍ର ସରକାର କିଛି ଲୁଚାଇବାକୁ ଚାହୁନାହାନ୍ତି। ସେଥିପାଇଁ ସରକାର ଏହି କ୍ଷେତ୍ରରେ ବିଶେଷ ଜ୍ଞାନଥିବା ବ୍ୟକ୍ତିବିଶେଷଙ୍କୁ ନେଇ ଏକ ମଣ୍ଡଳୀ ଗଠନ କରିବାକୁ ନିଜଆଡୁ କହିସାରିଛନ୍ତି। ଉକ୍ତ ବିଶେଷଜ୍ଞ କମିଟିର ରିପୋର୍ଟ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରାଯିବ। “

ଆବେଦନକାରୀଙ୍କ ପକ୍ଷରୁ କେସ୍ ଲଢୁଥିବା ବରିଷ୍ଠ ଆଡଭୋକେଟ୍ କପିଲ ସିବଲ ଏସ.ଜି ମେହେଟ୍ଟାଙ୍କୁ ଉତ୍ତର ଦେଇ କହିଛନ୍ତି ଯେ ମୌଳିକ ଅଧିକାରର ଉଲ୍ଲଂଘନ ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ହେଉଛି କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ। ସରକାର ପେଗାସସ୍ ବ୍ୟବହାର କରିଛନ୍ତି କି ନାହିଁ ତାହା ନିଶ୍ଚିତ କରିବାକୁ ମନା କରିବା ନ୍ୟାୟ ପାଇଁ କ୍ଷତିକାରକ ବୋଲି ସେ କହିଛନ୍ତି। ସିବଲ କହିଛନ୍ତି ଯେ କୋର୍ଟଙ୍କୁ ସୂଚନା ପ୍ରଦାନ କରିବାକୁ ସରକାର ମନା କରିବା ଅବିଶ୍ୱସନୀୟ।

ସିଜେଇ ଏନ୍‌ଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଏସ୍ ବୋପାନ୍ନାଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି ବେଳେ ପେଗାସସ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସିଜେଆଇ କହିଛନ୍ତି ଯେ ଆପଣ ବାରମ୍ବାର ସମାନ ଜିନିଷକୁ ଦୋହରାଉଛନ୍ତି। ଆମେ ଜାଣିବାକୁ ଚାହୁଁଛୁ ସରକାର କ’ଣ କରୁଛନ୍ତି? ଆମେ ଜାତୀୟ ସ୍ୱାର୍ଥ ପ୍ରସଙ୍ଗରେ ଯାଉନାହୁଁ। ଆମର ଚିନ୍ତା ସୀମିତ ଲୋକମାନଙ୍କ ବିଷୟରେ। ଆପଣ କାହିଁକି ଏଯାଏଁ ଆଫିଡେଭିଟ୍‌ ଦାଖଲ କରି ନାହାନ୍ତି? ସଂସଦରେ ଆଇଟି ମନ୍ତ୍ରୀଙ୍କ ବିବୃତ୍ତି ଅନୁଯାୟୀ ବୈଷୟିକ ବିଶ୍ଳେଷଣ ବିନା ଫୋନର ମୂଲ୍ୟାଙ୍କନ କରିବା କଷ୍ଟକର ବୋଲି କହି କେନ୍ଦ୍ର ସରକାରଙ୍କୁ ସିଜେଆଇ ଭର୍ତ୍ସନା କରିଛନ୍ତି। ଏହା ସହ ପେଗାସସ୍ ମାମଲାରେ କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି।

ପେଗାସସ୍ ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ସମସ୍ତ ଆବେଦନ ଉପରେ ସୁପ୍ରିମକୋର୍ଟ ଅଗଷ୍ଟ ୧୭ ରେ କେନ୍ଦ୍ରକୁ ନୋଟିସ୍ ଜାରି କରିଥିଲେ।  ଏହି ସମୟରେ କୋର୍ଟ ଏସ.ଜି ତୁଷାର ମେହେଟ୍ଟାଙ୍କୁ ପଚାରିଥିଲେ ଯେ ପେଗାସସ୍ କିଣିଛି କି ନାହିଁ ତାହା ସ୍ପଷ୍ଟ କରିବାକୁ କେନ୍ଦ୍ର ଏକ ଆଫିଡେଭିଟ୍ ଦାଖଲ କରିବାକୁ ପ୍ରସ୍ତୁତ କି ?

କୋର୍ଟ କହିଛନ୍ତି, ଆମେ ଉତ୍ତର ଖୋଜିଛୁ ଯେଉଁମାନଙ୍କ ଫୋନ୍ ଟ୍ୟାପ୍ ହୋଇଥିବା ଅଭିଯୋଗ ହେଉଛି ତା ସତ କି ମିଥ୍ୟା ? ଏହି ମାମଲାର ଶୁଣାଣି କରୁଥିବା ଜଷ୍ଟିସ ସୂର୍ଯ୍ୟକାନ୍ତ ସରକାରଙ୍କୁ ପଚାରିଛନ୍ତି , ‘ଗତଥର ମଧ୍ୟ ଆପଣ ଜାତୀୟ ସୁରକ୍ଷା ଯୁକ୍ତି ଉପସ୍ଥାପନ କରିଥିଲେ ଏବଂ ଆମେ କହିଥିଲୁ ଯେ ଏହି ପ୍ରସଙ୍ଗରେ କେହି ହସ୍ତକ୍ଷେପ କରିପାରିବେ ନାହିଁ। ଲୋକଙ୍କ ଫୋନ୍ ହ୍ୟାକିଂ ବିଷୟରେ ଆମେ ବ୍ୟକ୍ତିଗତ ଭାବରେ ଆପଣଙ୍କଠାରୁ ଉତ୍ତର ଖୋଜୁଛୁ।’

ଇସ୍ରାଏଲ୍ କମ୍ପାନୀ NSO ଗ୍ରୁପ୍ ର ପେଗାସସ୍ ସ୍ପାଏୱେର୍ 10 ଟି ଦେଶରେ ପ୍ରାୟ 50,000 ଫୋନ୍ ନମ୍ବର ଟ୍ୟାପିଂ କରିଥିବା ନେଇ ଅଭିଯୋଗ ହୋଇଥିଲା। ଲିକ୍ ହୋଇଥିବା ଡାଟାବେସରେ 300 ଟି ଭାରତୀୟ ଫୋନ୍ ନମ୍ବର ମଧ୍ୟ ରହିଥିଲା। ଏଥିରେ ବିରୋଧୀ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ, ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଫୋନ୍ ନମ୍ବର ଥିଲା । 

ସରକାର ପେଗାସସ୍ ସ୍ପାଇୱୟାରକୁ ସାମ୍ବାଦିକ, ରାଜନୈତିକ ବ୍ୟକ୍ତି, ସାମାଜିକ କର୍ମୀ ଏବଂ ଅଦାଲତ କର୍ମଚାରୀଙ୍କ ବିରୁଦ୍ଧରେ ଗୁଇନ୍ଦାଗିରି ଉଦ୍ଦେଶ୍ୟରେ ବ୍ୟବହାର କରିଥିବା ନେଇ ବରିଷ୍ଠ ସାମ୍ବାଦିକ ଏନ ରାମଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ୟାଚିକା ଦାଏର କରାଯାଇଥିଲା। ଏହି ଅଭିଯୋଗକୁ ମିଥ୍ୟା ବୋଲି କହି କେନ୍ଦ୍ର ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଥିଲା। ତାହାସହିତ ଏ ସମ୍ପର୍କରେ ଆଗତ ଅନ୍ୟାନ୍ୟ ଅଭିଯୋଗଗୁଡିକ କିଛି ଗଣମାଧ୍ୟମ ରିପୋର୍ଟ ଉପରେ ଆଧାରିତ ଏବଂ ସେଥିରେ ସତ୍ୟତା ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଥିଲେ।

Related Posts