ଛାୱଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲା; ପୀଡ଼ିତା ପରିବାରର ସୁରକ୍ଷା ନେଇ ଡିସିପିଙ୍କୁ ଚିଠି ଲେଖିଲେ ଦିଲ୍ଲୀ ମହିଳା କମିଶନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଛାୱଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡ଼ିତ ପରିବାରର ସୁରକ୍ଷାକୁ ଗୁରୁତ୍ୱ ଦେଲେ ଦିଲ୍ଲୀ ମହିଳା କମିଶନ। ତେବେ ଗତ ନଭେମ୍ବର ୭ ତାରିଖ ଦିନ ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସୁପ୍ରିମ କୋର୍ଟ। ଅଭିଯୁକ୍ତମାନେ ଖଲାସ ହେବା ପରେ ପୀଡ଼ିତାଙ୍କ ପରିବାରର ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଦିଲ୍ଲୀ ମହିଳା କମିଶନ ସ୍ୱାତୀ ମାଲିୱାଲ।

ଏନେଇ ସେ ଦିଲ୍ଲୀ ଡିସିପି ମୁଖ୍ୟାଳୟକୁ ଚିଠି ଲେଖିଛନ୍ତି। ପୀଡ଼ିତାଙ୍କ ପରିବାରର ସୁରକ୍ଷା ନେଇ କଣ ସୁବ ପଦକ୍ଷେପ ନିଆଯାଇଛି ସେ ନେଇ ସମସ୍ତ ସୂଚନା ଦେବାକୁ ସେ ଚିଠିରେ ଲେଖିଛନ୍ତି। ଏହା ସହିତ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ରିପୋର୍ଟ ମାଗିଛନ୍ତି ମହିଳା କମିଶନ।

ତେବେ ନଭେମ୍ବର ୭ ତାରିଖ ଦିନ ମାମଲାର ଶୁଣାଣି କରି ଘଟଣାର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ ସୁପ୍ରିମକୋର୍ଟ। ଏନେଇ କୋର୍ଟ କହିଥିଲେ ଯେ ବିନା ତଥ୍ୟ ପ୍ରମାଣ ଓ ତର୍କରେ ଖାଲି ନୈତିକତା ଦୃଷ୍ଟିରୁ କାହାକୁ ଦଣ୍ଡ ଦିଆଯାଇ ହେବନାହିଁ। ବରଂ ଉପଯୁକ୍ତ ପ୍ରମାଣ ଓ କଡ଼ାକଡ଼ି ଯାଞ୍ଚ ପରେ ଦୋଷୀମାନଙ୍କୁ ଦଣ୍ଡବିଧାନ କରାଯାଏ। ଏହି ଦୋଷୀମାନେ ନ୍ୟାୟଯୁକ୍ତ ବିଚାରର ହକ୍ ପାଇନଥିଲେ ଯାହା ତାଙ୍କ ଅଧିକାର ଥିଲା। ଏମାନେ ଅତି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ନେଇ ଅଭିଯୋଗ ହୋଇଥିଲେ ବି ବିନା ପ୍ରମାଣରେ କାହାକୁ ଦଣ୍ଡ ଦେଇ ହେବନି। ତେଣୁ ଏମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ପଡ଼ୁଛି ବୋଲି ସୁପ୍ରିମ କୋର୍ଟ କହିଥିଲେ।

ସୂଚନାଯୋଗ୍ୟ ଯେ, ୨୦୧୨ ଦିଲ୍ଲୀର ଛାୱଲା ଏରିଆରେ ୧୯ ବର୍ଷୀୟା ମହିଳାଙ୍କୁ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ ଅପରାଧିଙ୍କୁ ମୃତ୍ୟୁ ଯାଏ ଜେଲ୍ ଦଣ୍ଡ ଦିଆଯାଇଥିଲା। ଏହି ୩ ଜଣଙ୍କ ଉପରେ ୨୦୧୨ ଫେବ୍ରୁଆରୀ ୧୨ ତାରିଖରେ ମହିଳାଙ୍କୁ ଅପହରଣ,ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଲାଗିଥିଲା। ଏହି ମାମଲାରେ ଶୁଣାଣି କରି ଦିଲ୍ଲୀର ଏକ ନିମ୍ନ ଅଦାଲତ ୨୦୧୪ରେ ୩ ଅପରାଧିଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ। ତେବେ ନିମ୍ନ ଅଦାଲତଙ୍କର ନିର୍ଦ୍ଦେଶ ଉପରେ ସୁପ୍ରିମ କୋର୍ଟ କହିଥିଲେ ଯେ, ନୈତିକ ଦୋଷ ଓ ସନ୍ଦେହ ଆଧାରରେ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଇ ପାରିବ ନାହିଁ। ଏହି ମାମଲାରେ ତଦନ୍ତରେ ଅନେକ କୋହଳ କରାଯାଇଛି। ୪୯ ପ୍ରତ୍ୟକ୍ଷ ଦର୍ଶୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ପୁନଃ ପଚରାଉଚରା କରାଯାଇ ନଥିଲା। ଅନ୍ୟମାନଙ୍କୁ ବି ଠିକ୍ ଭାବରେ ପ୍ରଶ୍ନ କରାଯାଇ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ।

ତେବେ ସୁପ୍ରିମକୋର୍ଟ ଦୋଷୀଙ୍କୁ ଖଲାସ କରିବା ପରେ ପୀଡ଼ିତାଙ୍କ ପରିବାର ବର୍ଗ ମଧ୍ୟ ପ୍ରତିକ୍ରିୟା ରଖିଥିଲେ, ନ୍ୟାୟ ବ୍ୟବସ୍ଥା ଉପରୁ ଭରସା ଉଠିଗଲା ବୋଲି କହିଥିଲେ ପରିବାର ବର୍ଗ ଏହାସହ ଦୋଷୀ ମାନେ ଖଲାସ ହେବାପରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ କହିଥିଲେ।

Related Posts