‘ମୁଖ୍ୟମନ୍ତ୍ରୀ ନିଜ କଥା ରଖନ୍ତୁ, ଧାମନଗର ବିକାଶର ଦାୟିତ୍ବ ନିଅନ୍ତୁ’: ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟର ବହୁ ଚର୍ଚ୍ଚିତ ଧାମନଗର ଉପନିର୍ବାଚନର ଫଳାଫଳ ଗତକାଲି ଆସି ସାରିଛି। ଏହି ଉପନିର୍ବାଚନରେ ଦିବଂଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମାତ୍ ଦେଇ ବିଜୟ ଲାଭ କରିଛନ୍ତି। ତେବେ ବିଜୟ ପରେ ଧାମନଗର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ପରିପକ୍ୱ ନେତା ଭଳି ଅତ୍ୟନ୍ତ ଭାବଗର୍ଭକ ପ୍ରତିକ୍ରିୟା ଦେଇଛନ୍ତି ସୂର୍ଯ୍ୟବଂଶୀ । ସେ କହିଛନ୍ତି ଯେ, ବାପାଙ୍କ ଦେହାନ୍ତର ୧ ମାସ ମଧ୍ୟରେ ଉପନିର୍ବାଚନର ସାମ୍ନା କଲୁ। ଯେଉଁଭଳି ପରିସ୍ଥିତିରେ ମୁଁ ନିର୍ବାଚନକୁ ଓହ୍ଲାଇଥିଲି, ସେ ସମୟ ମୋ ପାଇଁ ବହୁତ କଠିନ ସମୟ ଥିଲା । ଏଭଳି ସମୟରେ ଧାମନଗରବାସୀ ମୋତେ କେବଳ ଶ୍ରଦ୍ଧା ନୁହେଁ, ପୁଅ ଭଳି ସ୍ନେହ କରିଛନ୍ତି। ସେଥିପାଇଁ ସମସ୍ତଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍।

ଏତେ ବଡ ପରିବାରକୁ ସାଙ୍ଗରେ ନେଇ ମୁଁ ନିର୍ବାଚନ କୁ ଓହ୍ଲାଇଥିଲି ।ମୋ ବଡ ପରିବାରର ସହଯୋଗ ମିଳି ନ ଥିଲେ, ମୁଁ ଆସି ପାରି ନ ଥାନ୍ତି । ପୁଅକୁ ଧାମନଗର ବାସୀ ଶ୍ରଦ୍ଧା ଦେଇଛନ୍ତି, ପୁଅ ତାର କର୍ତ୍ତବ୍ୟ ସମ୍ପାଦନ କରିବ । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସୂରଜ ନିଜ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ଭର୍ଚୁଆଲ ଯୋଗେ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଧାମନଗର ଦାୟିତ୍ୱ ନିଜେ ନେବେ ବୋଲି କହିଥିଲେ । ତାଙ୍କ ପ୍ରାର୍ଥୀ ଏଠାରେ ହାରିଥିଲେ ବି, ସେ ଆମ ମୁଖ୍ୟମନ୍ତ୍ରୀ, ସେ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ସେ ତାଙ୍କ କଥା ରଖନ୍ତୁ । ମୁଖ୍ୟମନ୍ତ୍ରୀ କଥା ରଖନ୍ତୁ , ଧାମନଗର ବିକାଶର ଦାୟିତ୍ୱ ନିଅନ୍ତୁ ବୋଲି କହିଛନ୍ତି ସୂର୍ଯ୍ୟବଂଶୀ ।

ସୂଚନାଯୋଗ୍ୟ ଯେ, ଗତକାଲି ପ୍ରକାଶ ପାଇଥିବା ଧାମନଗର ଉପନିର୍ବାଚନ ଫଳାଫଳରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯,୮୮୧ ଖଣ୍ଡ ଭୋଟରେ ପରାସ୍ତ କରି ଧାମନଗର ଆସନକୁ ସୁରଜ ଜିତି ନେଇଛନ୍ତି ।

Related Posts