ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):SEBC ଛାତ୍ର-ଛାତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । ପାଇବେ ୧୧.୨୫ ପ୍ରତିଶତ ସଂରକ୍ଷଣ । ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି |ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ଅନୁସୂଚିତ ଜନଜାତି ୨୨.୫୦ ପ୍ରତିଶତ, ଅନୁସୂଚିତ ଜାତି ୧୬.୨୫ ପ୍ରତିଶତ ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ ଛାତ୍ରଛାତ୍ରୀମାନେ ୧୧.୨୫ ପ୍ରତିଶତ ସଂରକ୍ଷଣ ପାଇବେ | ତେବେ ଏହି ନିଷ୍ପତି ସମାଜର ଅନ୍ତିମ ଶ୍ରେଣୀରେ ଥିବା ପ୍ରତିଭାମାନଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଐତିହାସିକ ପଦକ୍ଷେପ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |ଏହାସହିତ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ | ପୂର୍ବରୁ ଏନେଇ ଡିସେମ୍ବର ୩୧, ୨୦୨୦, ଜାନୁଆରୀ ୧୫, ୨୦୨୦ ଏବଂ ଜୁଲାଇ ୨୫, ୨୦୧୯ରେ ଚିଠି ଲେଖି ଓବିସି ଓ ଏସଇବିସି ବର୍ଗଙ୍କ ସଂରକ୍ଷଣ ବୃଦ୍ଧି ପାଇଁ ତତ୍କୀଳୀନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ | ଏହାସହ ଅଗଷ୍ଟ ୬, ୨୦୨୫ ଓ ଏପ୍ରିଲ ୧୭, ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଥିଲେ | ଚଳିତ ଶିକ୍ଷା ବର୍ଷରୁ ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ତା ଲାଗୁ କରିବାକୁ ସରକାର ନିଷ୍ପତି ନେଇଛନ୍ତି | ଶିକ୍ଷା ବର୍ଷ ଆରମ୍ଭ ଯଦିଓ ହୋଇଯାଇଛି, କ୍ୟାବିନେଟ ନିଷ୍ପତି ଅନୁଯାୟୀ ସଂରକ୍ଷଣ ଲାଗୁ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି | ସେପଟେ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି | ସେମାନେ ଏହାଦ୍ୱାରା ଉପକୃତ ହେବେ ବୋଲି କହିଛନ୍ତି।