ଭୁବନେଶ୍ଵର,୧୪/୧୨ (ସତ୍ୟପାଠ ବ୍ୟୁରୋ): ଭାରତର ସବୁଠାରୁ ବଡ଼ ସରକାରୀ ହସପିଟାଲ ଦିଲ୍ଲୀ ଏମ୍ସର ସର୍ଭର ଉପରେ ହୋଇଥିବା ସାଇବର ଆକ୍ରମଣ ଚୀନ ଦ୍ବାରା କରାଯାଇଥିଲା ବୋଲି ସ୍ପଷ୍ଟ ହୋଇଯାଇଛି । ସାଇବର ଆକ୍ରମଣକୁ ନେଇ ପଞ୍ଜୀକୃତ ଏଫ୍ଆଇଆରରେ ଏହା ଜଣାପଡିଛି । ଆଉ ଏଥିରେ କୁହାଯାଇଛି ଯେ ଏହି ସାଇବର ଆକ୍ରମଣ ଚୀନ୍ରୁ କରାଯାଇଛି। ହସ୍ପିଟାଲର ୧୦୦ ସର୍ଭର ମଧ୍ୟରୁ ୪୦ଟି ଫିଜିକାଲ ଓ ୬୦ଟି ଭରଚୁଆଲ ଭାବରେ ହ୍ୟାକ୍ ହୋଇଥିଲା । ତେବେ ବର୍ତ୍ତମାନ ପାଞ୍ଚଟି ସର୍ଭରର ତଥ୍ୟ ସଫଳତାର ସହ ହ୍ୟାକରମାନଙ୍କଠାରୁ ରିକଭର କରାଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଆଜି ଏହି ସୂଚନା ଦେଇଛି।
ମିଳିଥିବା ସୂଚନା ମୁତାବକ ନଭେମ୍ବର ୨୫ରେ, ଦିଲ୍ଲୀ ପୁଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍ସ (ଆଇଏଫଏସଏ) ୟୁନିଟ୍ ଦ୍ୱାରା ସାଇବର ଆତଙ୍କବାଦ ମାମଲା ପଞ୍ଜିକୃତ ହୋଇଥିଲା। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ବର୍ତ୍ତମାନ ଟାର୍ଗେଟ୍ ରେନ୍ସୱେୟାର ଆକ୍ରମଣର ଯାଞ୍ଚ କରୁଛି। ଏନଆଇଏ ସହିତ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଏବଂ ଦିଲ୍ଲୀ ସାଇବର କ୍ରାଇମ ସେଲ, ଭାରତୀୟ ସାଇବର କ୍ରାଇମ ସମନ୍ୱୟ, ଇଣ୍ଟେଲିଜେନ୍ସ ବ୍ୟୁରୋ, ସେଣ୍ଟ୍ରାଲ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ମଧ୍ୟ ସାଇବର ଆକ୍ରମଣର ଯାଞ୍ଚ କରୁଛନ୍ତି। ଏମ୍ସ ଦିଲ୍ଲୀ ପ୍ରଥମେ ୨୩ ନଭେମ୍ବରରେ ଏହାର ସର୍ଭରରେ ସମସ୍ୟା ଉପୁଜିଥିବାର କହିଥିଲା |
ସର୍ଭର ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ ଦୁଇ ବିଶ୍ଳେଷକଙ୍କୁ ମଧ୍ୟ ସାଇବର ସୁରକ୍ଷା ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରାଯାଇଥିଲା। ଏମ୍ସ ଅଧିକାରୀମାନେ ଏକ ବିବୃତ୍ତିରେ କହିଛନ୍ତି ଯେ ଇ-ହସ୍ପିଟାଲର ତଥ୍ୟ ପୁନଃସ୍ଥାପିତ ହୋଇଛି। ଡାକ୍ତରଖାନା ସେବା ପାଇଁ ତଥ୍ୟର ପରିମାଣ ଏବଂ ବହୁ ସଂଖ୍ୟକ ସର୍ଭର / କମ୍ପ୍ୟୁଟର ଯୋଗୁଁ ଏହି ପ୍ରକ୍ରିୟା କିଛି ସମୟ ନେଉଛି | ସାଇବର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। ଏହାପୂର୍ବରୁ, ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଦିଲ୍ଲୀ ଏମ୍ସରେ କମ୍ପ୍ୟୁଟର ସିଷ୍ଟମ ଉପରେ ହୋଇଥିବା ଆକ୍ରମଣର ଯାଞ୍ଚ ଆରମ୍ଭ କରିଥିଲା। ସରକାରୀ ସୂତ୍ର ଅନୁଯାୟୀ, ସେଣ୍ଟ୍ରାଲ ଫରେନସିକ୍ ଲ୍ୟାବ୍ (CFSL) ର ଏକ ଟିମ୍ ମାଲୱେର୍ ଆକ୍ରମଣର ଉତ୍ସ ଜାଣିବା ପାଇଁ ଏମ୍ସ ଦିଲ୍ଲୀର ସର୍ଭର ଯାଞ୍ଚ କରୁଛି |