‘ବାଣିଜ୍ୟ କାରବାର ବନ୍ଦ କରିଦେଲେ ଉଚିତ ଶିକ୍ଷା ପାଇବ ଚୀନ’; ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ଵର,୧୪/୧୨ (ସତ୍ୟପାଠ ବ୍ୟୁରୋ): ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟସ୍ଥ ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚୀନ୍‌ ସେନା ପୁଣିଥ‌ରେ ମୁହାଁମୁହିଁ ହୋଇଛନ୍ତି। ଗତ ଡିସେମ୍ବର ୯ ତାରିଖରେ ଏହି ଘଟଣା ଘଟିଥିଲା | ତେବେ ଏହାକୁ ନେଇ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚୀନକୁ କଡା ଟାର୍ଗେଟ କରିବା ସହ କେନ୍ଦ୍ର ସରକାରଙ୍କୁ ଉପଦେଶ ଦେଇଛନ୍ତି। କେଜ୍ରିୱାଲ ଚୀନ ସହିତ ବାଣିଜ୍ୟ ବନ୍ଦ କରିବାକୁ ଦାବି କରିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଟ୍ୱିଟ୍ କରି କହିଛନ୍ତି ଯେ, “ଆମେ କାହିଁକି ଚୀନ୍ ସହିତ ଆମର ବାଣିଜ୍ୟ କାରବାର ବନ୍ଦ କରୁନାହୁଁ? ଚାଇନାରୁ ଆମଦାନୀ ହେଉଥିବା ଅଧିକାଂଶ ସାମଗ୍ରୀ ଭାରତରେ ନିର୍ମାଣ କରାଯାଉଛି । ଆମଦାନୀ ବନ୍ଦ କରିଦେଲେ ଚୀନ୍ ଏକ ଉଚିତ ଶିକ୍ଷା ପାଇବ ଏବଂ ଭାରତ ରୋଜଗାର ପାଇବ’। ସୋମବାର ଦିନ ତୱାଙ୍ଗରେ ହୋଇଥିବା ସଂଘର୍ଷକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ଆମର ସୈନିକମାନେ ଦେଶର ଗର୍ବ। ମୁଁ ତାଙ୍କର ସାହସିକତାକୁ ସଲାମ କରୁଛି ଏବଂ ଶୀଘ୍ର ଆରୋଗ୍ୟ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି |

ସୂଚନାଯୋଗ୍ୟ ଯେ, ଭାରତୀୟ ସେନା ସୋମବାର ଦିନ କହିଥିଲା କି ତୱାଙ୍ଗ ସେକ୍ଟରର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ନିକଟରେ ଡିସେମ୍ବର ୯ରେ ଭାରତ ଏବଂ ଚୀନ୍‌ର ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା | ​​ଯେଉଁଥିରେ ଉଭୟ ପାର୍ଶ୍ୱରୁ କିଛି ସୈନିକ ଆହତ ହୋଇଥିଲେ। ପୂର୍ବ ଲଦାଖରେ ୩୦ ମାସରୁ ଅଧିକ ସମୟ ଧରି ଚାଲିଥିବା ସୀମା ବିବାଦ ମଧ୍ୟରେ ଗତ ଶୁକ୍ରବାର ଦିନ ଏହି ସମ୍ବେଦନଶୀଳ କ୍ଷେତ୍ର (ତାୱାଙ୍ଗ)ରେ ପିଏଲ୍‌ଏ (ପିପୁଲ୍ସ ଲିବରେସନ ଆର୍ମି) ସୈନିକମାନେ ୟାଙ୍ଗସେ ଅଞ୍ଚଳ‌ରେ ସ୍ଥିତାବସ୍ଥା‌ ପରିବର୍ତ୍ତନ ଉଦ୍ୟମ କରି ଭାରତୀୟ ସୀମା ଅତିକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଭାରତୀୟ ଯବାନ ସେମାନଙ୍କୁ କଡ଼ା ଜବାବ ଦେଇ ଘଉଡ଼ାଇ ଦେଇଥିଲେ। ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ଭାରତୀୟ ସୈନିକ ଅତ୍ୟନ୍ତ ସାହସିକତାର ସହ ସେମାନଙ୍କୁ ସାମ୍ନା କରିଛନ୍ତି। ଚୀନ୍‌ର ସବୁ ଚାଲକୁ ଭାରତୀୟ ସେନା ଭଣ୍ଡୁର କରିଛନ୍ତି |

Related Posts