ଚିଟଫଣ୍ଡ ଦୁର୍ନୀତି ମାମଲା; ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟର ବହୁ ଚର୍ଚ୍ଚିତ ଚିଟଫଣ୍ଡ ମାମଲା ପୁଣି ଥରେ ଚର୍ଚ୍ଚାକୁ ଫେରିଛି।ଚିଟଫଣ୍ଡ ପ୍ରସଙ୍ଗରେ ଆଜି ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ। ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଓ ସିବିଆଇ କ’ଣ ପଦକ୍ଷେପ ନେଇଛନ୍ତି ଜଣାଇବାକୁ କହିଛନ୍ତି କୋର୍ଟ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏମ.ଆର ଶାହା ଓ ବିଚାରପତି ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମାମଲା ପରିଚାଳନା କରିଥିଲେ। ପିଟିସନରେ ପ୍ରଶାନ୍ତ ଭୂଷଣ ଦର୍ଶାଇଛନ୍ତି ଯେ, ମାମଲାକୁ ୯ ବର୍ଷ ବିତିଯାଇଛି। ତେବେ ଏଭିତରେ ଅନେକ ସମ୍ପତ୍ତି ବ୍ୟାଜପ୍ତ ହୋଇଥିଲେ ମଧ୍ୟ ଜଣେ ହେଲେ ନିବେଶକ ନିଜର ଅର୍ଥ ଫେରି ପାଇନାହାନ୍ତି। ଆବେଦନକାରୀଙ୍କ ପକ୍ଷରୁ ୪୮୦ ପୃଷ୍ଠାର ପିଟିସନ୍ ଆକାରରେ ଜନସ୍ୱାର୍ଥ ମାମଲା କରାଯାଇଛି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ଚିଟଫଣ୍ଡ ଠକେଇରେ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ଠକେଇ ହୋଇଥିବା କୁହାଯାଉଛି। ୪୪ଟି ଚିଟଫଣ୍ଡ କମ୍ପାନୀ ବିରୁଦ୍ଧରେ ୨୦୧୪ରେ ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ ତାର ଚୂଡାନ୍ତ ରିପୋର୍ଟ ଦାଖଲ କରିନଥିବା ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି।

Related Posts