ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): NEET ପରେ ଏବେ CUET-UG ପରୀକ୍ଷାରେ ତ୍ରୁଟି । ଯାହାକୁ ନେଇ ସାରା ଦେଶରେ ରାଜନୀତି ବେଶ୍ ସରଗରମ ହୋଇ ଉଠିଛି । ତେବେ ଦେଶର ବିଭିନ୍ନ କେନ୍ଦ୍ରରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷା ବିଳମ୍ୱରେ ଆରମ୍ଭ ହେବାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି। ପରବର୍ତ୍ତୀ ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଏହାକୁ ଏକ ବୈଷୟିକ ତ୍ରୁଟି (Technical Glitch) ବୋଲି ଦର୍ଶାଇଥିଲା ଏବଂ କିଛି ସମୟ ବିଳମ୍ୱରେ ପରୀକ୍ଷା ଆରମ୍ଭ କରାଯାଇଥିଲା।

ଏହା ମଧ୍ୟରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ତୀବ୍ର କଟାକ୍ଷ କରିଛନ୍ତି। ସେ କହିଛନ୍ତି, NEET, CBSE, SSC ଏବଂ ଆଜି CUET। ଚାରୋଟି ପରୀକ୍ଷା, ଏକ କୋଟି ପିଲା, ହେଲେ ଗୋଟିଏ ବି ପରୀକ୍ଷା ସ୍ୱଚ୍ଛତା ସହ ଶେଷ ହୋଇପାରିଲା ନାହିଁ ବୋଲି କହିଛନ୍ତି। ରାହୁଲ ଗାନ୍ଧୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଲେଖିଛନ୍ତି, ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା ସଠିକ ଭାବେ କରାଇପାରୁନାହାନ୍ତି ମୋଦିଜୀ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଦେଇଛନ୍ତି। ଆପଣ ଯେଉଁ ପିଢ଼ିର ଭବିଷ୍ୟତ ବରବାଦ କରୁଛନ୍ତି ସେହି ପିଢ଼ି ହିଁ ଦିନେ ଆପଣଙ୍କ ଠାରୁ ହିସାବ ନେବ ବୋଲି କହିଛନ୍ତି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି ।

ଅନ୍ୟପଟେ ୩୦ମେ’ ଶନିବାର ଆଉ ଏକ ଏନ୍‌ଟିଏ ପରୀକ୍ଷା ସିୟୁଇଟି ୟୁଜି ୨୦୨୬ ପରୀକ୍ଷା ସମୟରେ କେନ୍ଦ୍ରଗୁଡ଼ିକରେ ବ୍ୟାପକ ବିଶୃଙ୍ଖଳା ଦେଖାଦେଇଛି । ସାରା ଦେଶର ଅନେକ କେନ୍ଦ୍ରରେ ସକାଳ ସିଫ୍ଟର ପ୍ରଶ୍ନପତ୍ର ସମୟସୀମାରେ ଆରମ୍ଭ ହୋଇପାରିନାହିଁ । ଯାହା ଫଳରେ ପ୍ରଚଣ୍ଡ ଖରାରେ କେନ୍ଦ୍ର ବାହାରେ ଠିଆ ହୋଇଥିବା ପ୍ରାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କ କ୍ରୋଧ ପ୍ରକାଶ ପାଇଥିଲା । ଏହି ଉତ୍ତେଜନା ପରେ ଏନ୍‌ଟିଏ ଶୀଘ୍ର ଏକ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ଦେଇଛି ।ଏନ୍‌ଟିଏ ନୋଟିସ୍‌ରେ ପ୍ରକାଶ କରିଛି ଯେ, ସିୟୁଇଟି ୟୁଜି ପରୀକ୍ଷା ପରିଚାଳନା କରୁଥିବା ବୈଷୟିକ ଅଂଶୀଦାର କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍ ପକ୍ଷରୁ ଏକ ବଡ଼ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଏହି ଯାନ୍ତ୍ରିକ ତ୍ରୁଟି ସକାଳ ସିଫ୍ଟ ପରୀକ୍ଷାକୁ ବିଳମ୍ବ କରିଛି ।

ଏହି ବଡ଼ ତ୍ରୁଟି ବର୍ତ୍ତମାନ ସିଧାସଳଖ ଅପରାହ୍ନ ସିଫ୍ଟକୁ ମଧ୍ୟ ପ୍ରଭାବିତ କରିଛି, ଯାହା ଫଳରେ ଏନ୍‌ଟିଏ ଅପରାହ୍ନ ଅଧିବେଶନକୁ ଘୁଞ୍ଚାଇବାକୁ ବାଧ୍ୟ ହୋଇଛି। ଅସୁବିଧା ପାଇଁ ଏଜେନ୍ସି ଛାତ୍ର ଏବଂ ଅଭିଭାବକଙ୍କୁ କ୍ଷମା ପ୍ରାର୍ଥନା କରିଛି ଏବଂ ସେମାନଙ୍କୁ ଆଶ୍ୱାସନା ଦେଇଛି ଯେ କୌଣସି ପ୍ରାର୍ଥୀଙ୍କୁ ହଇରାଣ ହେବାକୁ ଦିଆଯିବ ନାହିଁ । ତ୍ରୁଟି ଯୋଗୁ କମ୍ପ୍ୟୁଟର ସ୍କ୍ରିନ୍ ଏବଂ ସର୍ଭରଗୁଡ଼ିକ ଖରାପ ହୋଇଯିବାରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ସିଟ୍‌ରେ ପରୀକ୍ଷା ପାଇଁ ପ୍ରଶ୍ନ ପତ୍ରକୁ ଅପେକ୍ଷା କରି ବସି ରହିଥିଲେ । ଏନ୍‌ଟିଏ ଦାବି କରିଛି ଯେ, ଯାନ୍ତ୍ରିକ ତ୍ରୁଟି ଏବେ ସମ୍ପୂର୍ଣ୍ଣ ସମାଧାନ ହୋଇଛି ଏବଂ ପ୍ରଭାବିତ କେନ୍ଦ୍ରଗୁଡ଼ିକରେ ପରୀକ୍ଷା ସୁରୁଖୁରୁରେ ଆରମ୍ଭ ହୋଇଛି । ଅପରାହ୍ନ ସିଫ୍ଟ ସମୟ ପରିବର୍ତ୍ତନ କରାଯାଇଛି। ଅପରାହ୍ନ ୩ଟାର ପରୀକ୍ଷା ଅପରାହ୍ନ ୪ଟାରେ ଆରମ୍ଭ ହେବ ବୋଲି କୁହାଯାଇଛି ।