ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାଣିପାଗ ସମ୍ବନ୍ଧୀୟ ଗବେଷଣା ଓ ଶିକ୍ଷା ପାଇଁ ଓଡ଼ିଶାରେ ନୂଆ ବାଟ ଫିଟିବାକୁ ଯାଉଛି। ବାଲେଶ୍ବର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଖୁବ୍ଶୀଘ୍ର ରାଜ୍ୟର ପ୍ରଥମ ପାଣିପାଗ ପରିବର୍ତ୍ତନ ତଥା ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିସହିତ ବିଶ୍ବବିଦ୍ୟାଳୟରେ ବାୟୁମଣ୍ଡଳ ବିଜ୍ଞାନ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ।ଏ ନେଇ ମଙ୍ଗଳବାର ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ନୂଆଦିଲ୍ଲୀସ୍ଥିତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ବିଶ୍ବବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ଆଇଏମ୍ଡି ପକ୍ଷରୁ ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ଏମ୍ଓୟୁରେ ସ୍ବାକ୍ଷର କରିଥିଲେ।
କୁଳପତି ପ୍ରଫେସର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଏମ୍ଡି ମହାନିର୍ଦ୍ଦେଶକ ଡ. ମହାପାତ୍ର କହିଥିଲେ ଯେ, ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଣିପାଗ ପରିବର୍ତ୍ତନ ତଥା ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା ହେଲେ ପାଣିପାଗ ଓ ଜଳବାୟୁ ସଂପର୍କିତ ଗବେଷଣାରେ ଡେଣା ଲାଗିବ। ପାଣିପାଗ ବିଜ୍ଞାନ ଆଧାରିତ ବିଭିନ୍ନ ଜ୍ଞାନକୌଶଳର ବିକାଶ ହୋଇପାରିବ। ଏହାସହିତ ବିଭିନ୍ନ ସମୟରେ ପ୍ରଶିକ୍ଷଣ ସମ୍ମିଳନୀ ଆୟୋଜନ ଦ୍ବାରା ପାଣିପାଗ ସମ୍ବନ୍ଧୀୟ ନୂଆ ନୂଆ ଆବିଷ୍କାର, ତଥ୍ୟ ଓ ଜ୍ଞାନ ବିନିମୟ ହୋଇପାରିବ। ଯାହାଫଳରେ ଗବେଷକ, ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ସଂପୃକ୍ତ ବିଷୟ ଆଧାରିତ ଅଭିଜ୍ଞତା ବୃଦ୍ଧି ହେବ। କେବଳ ସେତିକି ନୁହେଁ, ପାଣିପାଗଜନିତ ପ୍ରାକୃତିକ ବିପର୍ଯ୍ୟୟ ବାବଦରେ ବାଲେଶ୍ବରବାସୀ ଓ ରାଜ୍ୟବାସୀଙ୍କୁ ଆଗୁଆ ସତର୍କ ମଧ୍ୟ କରାଯାଇପାରିବ।
ଏହି ଅବସରରେ ଡ.ମହାପାତ୍ର ଉତ୍ତର ଓଡ଼ିଶାରେ ପ୍ରତିବର୍ଷ ବଜ୍ରପାତ ଯୋଗୁଁ ହେଉଥିବା କ୍ଷୟକ୍ଷତି ସଂପର୍କରେ ସୂଚନା ଦେବା ସହ ଏହାର ପ୍ରତିକାର ପାଇଁ ଆଗାମୀ ଦୁଇବର୍ଷ ମଧ୍ୟରେ ବାଲେଶ୍ବର ଓ ସମ୍ବଲପୁରରେ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ, ଆଇଏମ୍ଡି ଭୁବନେଶ୍ବର କେନ୍ଦ୍ରର ମୁଖ୍ୟ ଏଚ୍.ଆର୍.ବିଶ୍ବାସ, ବିଶ୍ବବିଦ୍ୟାଳୟ କୁଳସଚିବ କୁକୁମିନା ଦାସ, ଡ.ନିହାର ରଞ୍ଜନ ରାଉତ, ଡ.ମିହିର ତନୟ ଦାସ, ଡ.ବିବେକାନନ୍ଦ ନାୟକ, ଡ.ସନ୍ତୋଷ ଅଗ୍ରୱାଲଙ୍କ ସମେତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି (ଆଇଟିଆର୍)ର ଅନେକ ବୈଜ୍ଞାନିକ ଉପସ୍ଥିତ ଥିଲେ
