ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ: ୬୨ ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ବାଜି ସାରିଛି ନିର୍ବାଚନ ଵିଗୁଲ । ନଭେମ୍ବର ୧୨ରେ ଅନୁଷ୍ଠିତ ହେବ ନିର୍ବାଚନ । ତେବେ ଆଜି ବିଧାନସଭାର ମୋଟ ୬୮ ସିଟ୍‌ରୁ ୬୨ ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି ।ଆଜି ବିଜେପି ପକ୍ଷରୁ ୬୨ ପ୍ରାର୍ଥୀଙ୍କ ତାଲିକା ଜାରି କରାଯାଇଛି । ଏହାପୂର୍ବରୁ ମଙ୍ଗଳବାର ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ କମିଟି ବୈଠକ ବସିଥିଲା । ବୈଠକରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ମାନସ ମନ୍ଥନ କରାଯାଇଥିଲା । ଏହାପରେ ଆଜି ବିଜେପି ୬୨ ସିଟ୍‌ରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ଗତ ସୋମବାର ମଧ୍ୟ ଦିଲ୍ଲୀ ଠାରେ ହିମାଚଳ ବିଜେପିର କୋର କମିଟି ବୈଠକ ହୋଇଥିଲା ।ବିଜେପି ପ୍ରାର୍ଥୀ ତାଲିକାରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନାମ ରହିଛି । ମୁଖ୍ୟମନ୍ତ୍ରୀ ସିରାଜ ଆସନରୁ ନିର୍ବାଚନ ଲଢିବେ । ସେହିପରି ଦଳ ଏଥର ଦୁଇ ଜଣ ଡାକ୍ତରଙ୍କୁ ଟିକେଟ୍ ଦେଇଛି । ଆଇଜିଏମସିର ନ୍ୟୁରୋସର୍ଜନ ଡାକ୍ତର ଜନକରାଜଙ୍କୁ ଚମ୍ବା ଜିଲ୍ଲାର ଭରମୋର ଆସନରୁ ଏବଂ ଡ. ରାଜେଶ କଶ୍ୟପଙ୍କୁ ପୁନର୍ବାର ସୋଲେନ ସିଟ୍‌ରୁ ଟିକେଟ୍ ଦେଇଛି ବିଜେପି । ଶିମଲା ସହର ବିଧାନସଭା ଆସନରୁ କ୍ୟାବିନେଟ ମନ୍ତ୍ରୀ ସୁରେଶ ଭରଦ୍ବାଜଙ୍କ ବଦଳରେ ସଞ୍ଜୟ ସୁଦଙ୍କୁ ଟିକେଟ୍ ମିଳିଛି । ସୁରେଶ କସୁମପେଟିରୁ ପ୍ରତିଦ୍ବନ୍ଦିତା କରିବେ । ଧର୍ମପୁର ଆସନରେ କ୍ୟାବିନେଟ ମନ୍ତ୍ରୀ ମହେନ୍ଦ୍ର ସିଂହ ଠାକୁରଙ୍କ ଟିକେଟ୍ କାଟିଛି ଦଳ । ତାଙ୍କ ସ୍ଥାନରେ ତାଙ୍କରି ପୁଅ ରଜତ ଠାକୁରଙ୍କ ଟିକେଟ୍ ମିଳିଛି ।ଆସନ୍ତା ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭାର ୬୮ ଆସନ ପାଇଁ ଭୋଟ ଗ୍ରହଣ ହେବ । ଡିସେମ୍ବର ୮ ତାରିଖରେ ଭୋଟ ଗଣତି କରାଯିବ । ୨୫ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୭ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ୨୯ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ । ୮ ଡିସେମ୍ବରରେ ଭୋଟ ଗଣତି ହେବ । ଡିସେମ୍ବର ୧୦ ତାରିଖରେ ପୁରା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ସେପଟେ ଗତକାଲି 46 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ ।

Related Posts