ଚିନ୍ତା ବଢ଼ାଇଲାଣି ମୌସୁମୀ ବର୍ଷା:୫ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଉତ୍ପନ୍ନ

ନୂଆଦିଲ୍ଲୀ: ଦେଶର ପ୍ରାୟ ଅନେକ ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା । ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ବେହାଲ ହେବାକୁ ବସିଛି । ଗୁଜରାଟରେ ପ୍ରବଳ ବର୍ଷା ଯୋଗୁ ବନ୍ୟାରେ ଅନେକ ଲୋକଙ୍କ ମୃତ୍ୟୁ ହେଲାଣି । ଖାଲି ଗୁଜରାଟ ନୁହେଁ କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ମଧ୍ୟପ୍ରଦେଶରେ ମଧ୍ୟ ଅଣାୟତ୍ତ ହେଲାଣି ସ୍ଥିତି । ଏହି ୫ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଉପୁଜିଛି ।

ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଥିବାରୁ ଏହି ସବୁ ରାଜ୍ୟରେ ଆହୁରି ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । ଘଟଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଉଛି । ବନ୍ୟା ସ୍ଥିତି ନେଇ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି । ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ କେନ୍ଦ୍ର ସହାୟତା ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ ମଧ୍ୟପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୋପାଳ, ଇନ୍ଦୋର ଓ ଜବଲପୁର ସମେତ ପ୍ରାୟ ୩୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ସେହିପରି ବିହାର, ଝାଡଖଣ୍ଡ ଓ କର୍ଣ୍ଣାଟକରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ତେଲେଙ୍ଗାନାରେ ପ୍ରବଳ ବର୍ଷା ଯୋଗୁ ଗୋଦାବରୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବନ୍ୟା ହେବାର ଆଶଙ୍କା ମଧ୍ୟ କରାଯାଉଛି ।

Related Posts