ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଲା କଂଗ୍ରେସ

ଭୁବନେଶ୍ୱର,୨୯/୭(ସତ୍ୟପାଠ ବ୍ୟୁରୋ): ଆଜି ବିଧାନସଭାର ଷଷ୍ଠ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛି କଂଗ୍ରେସ । ଅଗ୍ନିବୀର ମାନଙ୍କୁ ରାଜ୍ୟର ସମସ୍ତ ୟୁନିଫର୍ମ ସେବାରେ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଜି ଗୃହରେ ପଢ଼ି ଶୁଣାଉଥିବା ବେଳେ ଗୃହରେ ଉଦବେଗ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ।

ଏନେଇ ସେ କହିଛନ୍ତି ଯେ, ଗୃହ ବାହାରେ ମୁଖ୍ୟମନ୍ତ୍ରୀଙ୍କ କରିଥିବା ଘୋଷଣାକୁ ଗୃହ ଭିତରେ ସଂସଦୀୟ ମନ୍ତ୍ରୀ ଦୁଇ ଦିନ ପରେ ଘୋଷଣା କରିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ଗୃହରେ କାହିଁକି ଘୋଷଣା କଲେ ନାହିଁ ? ଗୃହକୁ ବିଶ୍ୱାସକୁ ନେଲେ ନାହିଁ ମୁଖ୍ୟମନ୍ତ୍ରୀ, ଗୃହର ମର୍ୟ୍ୟାଦା ଭଙ୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ବିଧାନସଭା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ । ତେଣୁ ସ୍ୱାଧିକାର ଭଙ୍ଗ ନୋଟିସକୁ ଗ୍ରହଣ କରିବାକୁ ଦାବି କଲେ ତାରା ବାହିନୀପତି ।

ତେବେ ଗତ ୨୬ ତାରିଖରେ ଗୃହ ଚାଲିଥିବା ବେଳେ ଅଗ୍ନିବୀରଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିଥିଲେ। ହେଲେ ବିଧାନସଭା ବା ସଂସଦୀୟ ନିୟମ ଅନୁସାରେ ଅଧିବେଶନ ଚାଲିଥିବା ବେଳେ କୌଣସି ନୀତିଗତ ନିଷ୍ପତି ଗୃହ ବାହାରେ ଘୋଷଣା କରାଯାଇପାରିବ ନାହିଁ। ଏହାକୁ ପ୍ରଥମେ ଗୃହରେ ଘୋଷଣା କରିବାର ଆବଶ୍ୟକତା ରହିଛି। ହେଲେ ମୁଖ୍ୟମନ୍ତ୍ରୀ ଏହି ନିୟମ ଭାଙ୍ଗିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

Related Posts