ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଏକ ଆନ୍ଦୋଳନ ସମ୍ପର୍କିତ ମାମଲାରେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କୁ ବଡ଼ ଆଶ୍ୱସ୍ତି । ୧ ଲକ୍ଷ ଟଙ୍କାର ବଣ୍ଡ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ତେବେ ଅଦାଲତ ତାଙ୍କର ଭଲ ଆଚରଣକୁ ଆଧାର କରି ତାଙ୍କୁ ଗୋଟିଏ ବର୍ଷ ପାଇଁ ପ୍ରୋବେସନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କୋର୍ଟ ତାଙ୍କୁ ୧ ଲକ୍ଷ ଟଙ୍କାର ବଣ୍ଡ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି।

ବାସ୍ତବରେ ପୂର୍ବରୁ ଏକ ପ୍ରତିବାଦ ପ୍ରଦର୍ଶନ ସହ ଜଡ଼ିତ ମାମଲାରେ ଶୁଣାଣି କରି କୋର୍ଟ ତାଙ୍କୁ ଆଇନଗତ ଭାବେ ଦୋଷୀ ସାବ୍ୟସ୍ତ କରିଥିଲେ, ଯାହାକୁ ନେଇ ଦିଲ୍ଲୀ ରାଜନୀତିରେ ବେଶ୍ ଚର୍ଚ୍ଚା ଚାଲିଥିଲା।ଘଟଣାର ପୃଷ୍ଠଭୂମି ଅନୁଯାୟୀ, ୨୦୨୪ ମସିହା ଜୁଲାଇ ମାସରେ ଦିଲ୍ଲୀର ପ୍ରସିଦ୍ଧ ଜନ୍ତର ମନ୍ତରଠାରେ ମହିଳା ସଂରକ୍ଷଣ ବିଲ୍ ବିରୋଧରେ କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ପ୍ରଦର୍ଶନ ଆୟୋଜନ କରାଯାଇଥିଲା।

ଏହି ଆନ୍ଦୋଳନ ସମୟରେ ଘଟିଥିବା କେତେକ ଅପ୍ରୀତିକର ପରିସ୍ଥିତିକୁ ନେଇ କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ବିଚାର କରି ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ ସେ କୋର୍ଟଙ୍କ ନିକଟରେ ନିଜର ଉତ୍ତମ ଚରିତ୍ର ଓ ଭଲ ଆଚରଣ ପାଇଁ ବିଶେଷ ଆବେଦନ କରିଥିଲେ।