ଦିଗପହଣ୍ଡି ପୈାର ନିର୍ବାଚନ ମତଦାନ ଫଳାଫଳ ସମଗ୍ର ଗଞ୍ଜାମ ଜିଲ୍ଲାରେ ବିଜେଡ଼ିର ସଂଗଠନ ନେତା ଓ କର୍ମୀଙ୍କ ଭିତରେ ଚିନ୍ତା ଓ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। ଦିଗପହଣ୍ଡି ଏନଏସି ର ଫଳାଫଳ ବିଜେଡ଼ିର ହେବିୱେଟ ନେତା ତଥା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ପାଇଁ ଜବରଦସ୍ତ ଝଟକା ବୋଲି ଚର୍ଚ୍ଚା ହେଉଛି। ଯେତେବେଳେ ପୁରା ଗଞ୍ଜାମ ରେ ବିଜେଡି ର ଶଙ୍ଖନାଦ ଚାଲିଛି ଠିକ୍ ସେତିକିବେଳେ ଦିଗପହଣ୍ଡିରେ ନବୀନ ବାବୁଙ୍କୁ ହାର ଦେଖିବାକୁ ମିଳୁଛି। ସୂର୍ଯ୍ୟ ପାତ୍ର ଖାଲି ଦିଗପହଣ୍ଡି ନୁହଁ ପୁରା ରାଜ୍ୟରେ ବିଜେଡି ର ଜଣେ ଟାଣୁଆ ନେତା ଭାବରେ ଜଣା। ବିଜେଡିରେ ପାତ୍ରଙ୍କ ସମସାମୟିକ ନେତା ପ୍ରାୟ ସମସ୍ତେ ଆଉଟ୍ ହୋଇଗଲେଣି ମାତ୍ର ପାତ୍ରେ ଏବେ ବି ତିଷ୍ଠି କି ଅଛନ୍ତି। ମାତ୍ର କଂଗ୍ରେସ ର ପ୍ରଫୁଲ୍ଲ ପଣ୍ଡା ପୌରାଧ୍ୟକ୍ଷ ଭାବେ ଜିତିବା ଏବଂ ଏଗାର କାଉନସିଲର ରୁ ୬ କଂଗ୍ରେସ ଜିତିବା ଉଭୟ ପାତ୍ର ଏବଂ ବିଜେଡିକୁ ଶକ୍ତ ଝଟକା ସଦୃଶ

ଗୁରୁତ୍ବପୂର୍ଣ୍ଣ କଥା ହେଲା କଂଗ୍ରେସର ପ୍ରଫୁଲ୍ଲ ପଣ୍ଡାଙ୍କ ବିଜୟ ପରେ ସ୍ଥାନୀୟ ବିଜେଡି ମହଲାରେ ଚର୍ଚ୍ଚା ଯେ ଏହା କେବଳ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ପାଇଁ ବିପର୍ଯ୍ୟୟ ନୁହଁ ବରଂ ତାଙ୍କ ପୁଅ ବିପ୍ଳବ ପାତ୍ରଙ୍କ ପାଇଁ ମଧ୍ୟ ବହୁତ୍ ବଡ ଝଟକା। କାରଣ ନିର୍ବାଚନମଣ୍ଡଳୀ ରେ ଏଥର ପଂଚାୟତ ଏବଂ ପୌର ନିର୍ବାଚନ କଥା ସବୁ ବୁଝୁଥିଲେ ସୁର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ। ତା ଛଡା ୨୦୨୪ ରେ ସୂର୍ଯ୍ୟ ପାତ୍ରଙ୍କ ଜାଗାରେ ପୁଅ ବିପ୍ଳବ ହିଁ ଦିଗପହଣ୍ଡିରେ ପ୍ରାର୍ଥୀ ହେବେ ଏହା ପ୍ରାୟ ନିଶ୍ଚିତ। ସେ ଦୃଷ୍ଟିରୁ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ଏବଂ କାଉନସିଲର ର ବହୁମତ କଂଗ୍ରେସ ଜିତିବା ଉଭୟ ପିତା – ପୁତ୍ରଙ୍କ ପାଇଁ ବହୁତ ବଡ ବିପର୍ଜୟ ବୋଲି ଆଲୋଚନା ହେଉଛି।

ଦୀର୍ଘ ବର୍ଷ ଧରି ଦିଗପହଣ୍ଡି ଗଡରେ ବିଜେଡି ଦଳ ନିଜର କ୍ଷମତା ହାସଲ କରି ପ୍ରାଧାନ୍ୟ ବିସ୍ତାର କରିି ଆସୁୁଥିବା ବେଳେ ତାହାକୁ ଚଳିତ ବର୍ଷ କଂଗ୍ରେସ ଦଳ ଉଚିତ ଜବାବ ଦେବା ସହ ବିଜେଡି ଦଳର ଆଶାକୁ କ୍ଷୁର୍ଣ୍ଣ କରିଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସ ପକ୍ଷରୁ ନଗରପାଳ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରଫୁଲ୍ଲ ପଣ୍ଡା ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀ ଭି . ରବିନାରାୟଣ ରାଜୁଙ୍କ ଠାରୁ ୧୪୧୨ ଭୋଟରେ ଅଗ୍ରଣୀ କରି ବିଜୟୀ ହୋଇଛନ୍ତି । ସେହିପରି କାଉନସିଲର ଆସନ ନିମନ୍ତେ ୧୧ ଗୋଟି ୱାର୍ଡରୁ ୬ ଗୋଟି ଆସନ କଂଗ୍ରେସ ହାସଲ କରିଥିବା ବେଳେ ବିଜେଡ଼ି ୫ ଗୋଟି ଆସନ ଦାଖଲ କରିଥିଲା । ଖବରନୁଯାୟୀ , ଦିଗପହଣ୍ଡି ପୈାର ନିର୍ବାଚନ ସକାଶେ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ ଗୋଟି ପାଇଁ ବିଜେଡି , କଂଗ୍ରେସ , ବିଜେପି , ସିପିଏମ ଓ ସ୍ବାଧୀନ ପ୍ରାର୍ଥୀରୁ ସର୍ବମୋଟ ୬ ଜଣ ନଗରପାଳ ପ୍ରାର୍ଥୀ ସମେତ ୩୩ ଜଣ କାଉନସିଲର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଗତ ୨୪ ତାରିଖ ଦିନ ୧୪ ଗୋଟି ବୁଥରେ ଏହାର ମତଦାନ ପ୍ରକ୍ରିୟା ହୋଇଥିଲା । ଆଜି ସକାଳୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଗଣତି ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିଭିନ୍ନ ଦଳର କର୍ମୀମାନଙ୍କ ନିଜ ଦଳର ଭୋଟ ଗଣତିକୁ ଫଳାଫଳକୁ ନେଇ ଖୁସିରେ ଚିତ୍କାର କରୁଥିଲେ । ଜନଗହଳିକୁ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କଡାକଡି କରାଯାଇଥିଲା । ପ୍ରଥମେ ନଗରପାଳ ଭାବେ ନିର୍ବାଚନ ଲଢିଥିବା ୧୧ ଗୋଟି ସମସ୍ତ ବୁଥର ଫଳାଫଳ ଘୋଷଣା କରାଯାଇଥିଲା । ଏଥିରେ କଂଗ୍ରେସ ଅଧ୍ୟକ୍ଷ ଭାବେ ପ୍ରଫୁଲ୍ଲ ପଣ୍ଡା ନିର୍ବାଚିତ ହୋଇଥିଲେ । ସେହିପରି ୧ ନଂ ୱାର୍ଡରୁ କଂଗ୍ରେସ ପ୍ରାର୍ଥୀନୀ ସନ୍ତୋଷନୀ ବେହେରା ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀନୀ ନିରୁପମା ପଟ୍ଟନାୟକଙ୍କ ଠାରୁ ୮୨ ଭୋଟ , ୨ ନଂ ୱାର୍ଡରୁ ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ପାତ୍ର ବିଜେପି ପ୍ରାର୍ଥୀ ଶିବ ପ୍ରସାଦ ପୂଜାରୀଙ୍କ ଠାରୁ ୬୪୫ ଭୋଟ , ୩ ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନୀ କରିସ୍ମା ନାୟକ ୧୩୩ ଭୋଟ , ୪ ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ଗୈାରାଙ୍ଗ ଚରଣ ବେହେରା ୨୬ ଭୋଟ , ୫ ନଂ ୱାର୍ଡରେ କଂଗ୍ରେସ ପ୍ରାର୍ଥୀନୀ ମାମିନୀ ବେହେରା ୨୫ ଭୋଟ , ୬ ନଂ ୱାର୍ଡରେ କଂଗ୍ରେସ ପ୍ରାର୍ଥୀନୀ କେ . ପୂଜା ୧୪୬ ଭୋଟ , ୭ ନଂ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ସୁନୀଲ ପଣ୍ଡା ୪୧ ଭୋଟ , ୮ ନଂ ୱାର୍ଡରେ କଂଗ୍ରେସ ପ୍ରାର୍ଥୀନୀ ଇ. ଗାୟତ୍ରୀ ୫୯ ଭୋଟ , ୯ ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ନୀଳମାଧବ ଗୈାଡ ୧୭୧ ଭୋଟ , ୧୦ ନଂ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ୬୮୬ ଭୋଟ , ୧୧ ନଂ ୱାର୍ଡରେ ବିଜେଡି ପ୍ରାର୍ଥୀନୀ ଜ୍ୟୋତ୍ସ୍ନା ଜେନା ୩୭ ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀ ମାନଙ୍କ ଠାରୁ ବିଜୟୀ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ସିପକ କୁମାର ପାତ୍ର ସୂଚନା ଦେଇଛନ୍ତି । ଦିଗପହଣ୍ଡି ମାଟିରେ ପୂର୍ବରୁ ବିଜେଡି ଏକମାତ୍ର ଦଳ ଶାସନ କରୁଥିବା ବେଳେ ଚଳିତ ବର୍ଷ କଂଗ୍ରେସର ବାଜିମାତକୁ ନେଇ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ନବ ନିର୍ବାଚିତ ନଗରପାଳ ଶ୍ରୀ ପଣ୍ଡା ସମେତ ୬ ଟି ୱାର୍ଡର ବିଜୟୀ କାଉନସିଲର ମାନଙ୍କୁ ଦଳପକ୍ଷରୁ ଫୁଲ ମାଳ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ନବ ନିର୍ବାଚିତ ନଗରପାଳ ଶ୍ରୀ ପଣ୍ଡା ନିଜ ପ୍ରତିକ୍ରିୟାରେ ଆଗାମୀ ଦିନରେ କଂଗ୍ରେସ ଏଭଳି ପ୍ରୟାସ ଜାରି ରଖିବ ଏବଂ ବିଜେଡି ଦଳକୁ ତାହାର ଉଚିତ ଜବାବ ଦେବ ବୋଲି କହିବା ସହ ଦିଗପହଣ୍ଡି ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।