ଜଳିଗଲା କଣ୍ଟେନର୍‌ ଡିପୋ: ନିଆଁ ଲାଗି ୨୫ ଜଣ ଜୀବନ୍ତ ଦଗ୍ଧ

ଢ଼ାକା: ଦକ୍ଷିଣ ପୂର୍ବ ବାଙ୍ଗଲାଦେଶର ଏକ ଅଭ୍ୟାନ୍ତରୀଣ କଣ୍ଟେନର ଡିପୋରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଯିବା ଫଳରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ୪୫୦ରୁ ଅଧିକ ଆହତ ହୋଇଛନ୍ତି। ଗତ ବିଳମ୍ବିତ ରାତିରେ ଏଭଳି କିଛି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

ରବିବାର ମିଳିଥିବା ସୂଚନା ମୁତାବକ, ବନ୍ଦର ସହର ଚିଟଗାଓଁ ଠାରୁ ୪୦ କିଲୋମିଟର ଦୂରେ ଥିବା ସୀତାକୁଣ୍ଡୁରେ ଏକ ଡିପୋରେ ହଠାତ୍‌ ଶନିବାର ବିଳମ୍ବିତରେ ରାତିରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଘରର ଝରକାଗୁଡିକ ମଧ୍ୟ ଭାଙ୍ଗି ଯାଇଥିଲା। ଏଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କିଛି ଦମକଳକର୍ମୀ ଓ ପୁଲିସ କର୍ମୀ ମଧ୍ୟ ସାମିଲ ଅଛନ୍ତି।

ସେପଟେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଲାଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କଣ୍ଟେନର ଡିପୋରେ କେମିକଲ ଥିବା ଯୋଗୁଁ ନିଆଁ ଲାଗିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ପରେ ଅନେକ କଣ୍ଟେନର୍‌ ଫାଟି ଯାଇଥିଲା। ଏହାପରେ ଚାରିଆଡେ ନିଆଁ ବ୍ୟାପିଯାଇଥିବା ନେଇ ସୂଚନା ମିଳିଛି।

Related Posts