(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମାଲକାନଗିରି ଜିଲ୍ଲାରେ ପୋଷଣ ସହାୟକ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିମ ବଣ୍ଡା ଓ ଦିଦାୟୀ ଜନଜାତୀଙ୍କୁ କୁପୋଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ ଏଠାରେ ପୋଷଣ ସହାୟକ ନିଯୁକ୍ତି ଦିଆଯାଇଛି । ଅଭିଯୋଗ ଅନୁଯାୟୀ ପୋଷଣ ସହାୟକ ନିଯୁକ୍ତିରେ ବଣ୍ଡା ଓ ଦିଦାୟୀ ଯୁବକ ଯୁବତୀଙ୍କୁ ବାଦ ଦେବା ପାଇଁ ଚକ୍ରାନ୍ତ କରାଯାଉଛି । ଏହାର ପ୍ରତିବାଦରେ ଆଦିମ ଜନଜାତୀର ଶିକ୍ଷିତ ଯୁବକ ଯୁବତୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନ ଉଭୟ ବଣ୍ଡା ଓ ଦିଦାୟୀ ଉନ୍ନୟନ କାର୍ଯ୍ୟାଳୟରେ ତାଲା ପକାଇ ପୁନଃ ନିଯୁକ୍ତି ଦାବି କରିଛନ୍ତି ।
ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ କୁପୋଷଣ ମାତ୍ରା ଅଧିକ। କୁପୋଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ ଘାଟିରେ ୫ଟି ପୁଷ୍ଟି ସାଧନ କେନ୍ଦ୍ର ଖୋଲି ୫ ଜଣ ପୋଷଣ ସହାୟକ ନିଯୁକ୍ତି ଦେବା ପାଇଁ ରାଜ୍ୟ ଅନୁସୁଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଓପେଲିପ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ବଣ୍ଡା ଜନଜାତିର ଲୋକଙ୍କ ଅଭିଯୋଗ ହେଉଛି ଯେ, ଏ ସମ୍ପର୍କରେ ସ୍ଥାନୀୟ ବଣ୍ଡା ଉନ୍ନୟନ ସଂସ୍ଥା ନୋଟିସ ବୋର୍ଡ କି କୌଣସି ଖବର କାଗଜରେ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। ବଣ୍ଡା ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାର ପ୍ରାବଧାନ ରହିଥିବା ବେଳେ ଅଣ ବଣ୍ଡାଙ୍କୁ ନିଯୁକ୍ତି ଦେବା ଲାଗି ଚକ୍ରାନ୍ତ ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି ।
ଅନ୍ୟ ପକ୍ଷରେ କୋରୁକୋଣ୍ଡା ବ୍ଲକର ବାୟାପଡା ଘାଟିରେ ବସବାସ କରୁଥିବା ଦିଦାୟୀ ସମ୍ପ୍ରଦାୟର ପିଲାଙ୍କୁ କୁପୋଷଣ ମୁକ୍ତ କରିବା ଲାଗି ୪ଟି ପୁଷ୍ଟି ସାଧାନ କେନ୍ଦ୍ର ଖୋଲିବାକୁ ଥିବା ବେଳେ ସେଠାରେ ୪ ଜଣ ପୋଷଣ ସହାୟକ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏଠାରେ ମଧ୍ୟ ନିଯୁକ୍ତି ପାଇଁ ଯେଉଁ ସବୁ ଯୋଗ୍ୟତା ମଗାଯାଇଛି, ତାହା ଦିଦାୟୀ ସମ୍ପ୍ରଦାୟର ଶିକ୍ଷିତ ଯୁବକ ଯୁବତୀଙ୍କ ସୁହାଉ ନଥିବାରୁ ସେମାନେ ଚାକିରିରୁ ବଂଚିତ ହେବେ ବୋଲି କହିଛନ୍ତି । ତେଣୁ ପୋଷଣ ସହାୟକ ନିଯୁକ୍ତିରେ ଦିଦାୟୀ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏ ଦୁର୍ନୀତି ସଂକ୍ରାନ୍ତରେ ଉପରିସ୍ତ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ବଣ୍ଡା ଉନ୍ନୟନ ସଂସ୍ଥାର ଅଧିକାରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଖଇରପୁଟ ବ୍ଲକ ମୁଦୁଲିପଡା ଓ ଅଣ୍ଡ୍ରାହାଲ ପଂଚାୟତର ୩୨ଟି ଗାଁରେ ପାଖାପାଖି ୭ହଜାର ବଣ୍ଡା ଓ କୋରୁକୋଣ୍ଡା ବ୍ଲକ ବାୟାପଡା ଘାଟିରେ ୧୫ ହଜାରରୁ ଅଧିକ ଦିଦାୟୀ ଶ୍ରେଣୀର ଲୋକେ ବସବାସ କରିଥାନ୍ତି । ଏମାନଙ୍କ ଲାଗି ସ୍ୱତନ୍ତ୍ର ଭାବେ ବିଡିଏ ଓ ଡିଡିଏ ନାମକ ୨ଟି ଏଜେନ୍ସି କାମ କରୁଥିବା ସତ୍ତ୍ବେ ସେଭଳି କିଛି ଆଖି ଦୃଷ୍ଟିଆ ବିକାଶ ହୋଇ ନଥିବା କୁହାଯାଉଛି । ତେଣୁ ନିଯୁକ୍ତି କ୍ଷେତ୍ର ଏହି ଦୁଇ ସଂପ୍ରଦାୟର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଦେବା ପାଇଁ ଦାବି ଉଠିଛି।
