ବିଦ୍ରୋହୀଙ୍କୁ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାରଙ୍କ ଚେତାବନୀ – ” ଯିଏ ଦଳ ଛାଡିବାକୁ ଚାହୁଁଛନ୍ତି ଚାଲି ଯାଆନ୍ତୁ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟ କଂଗ୍ରେସରେ ଜାରି ରହିଥିବା କନ୍ଦଳ ଭିତରେ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର । ବିଦ୍ରୋହୀ ନେତା ମାନଙ୍କୁ ସେ ସିଧା ସିଧା ବାହାରର ରାସ୍ତା ଦେଖାଇ ଦେଇଛନ୍ତି। ଯେଉଁମାନେ ଦଳ ଛାଡି ଚାଲିଯିବାକୁ ଚାହୁଁଛନ୍ତି ସେମାନେ ଚାଲି ଯାଆନ୍ତୁ ବୋଲି ଚେଲା କୁମାର କହିଛନ୍ତି । ବିଦ୍ରୋହୀ ମାନେ ଗଲା ପରେ ବି ଅନେକ ଲୋକ ଆସି କଂଗ୍ରେସରେ ଯୋଗଦେବେ । ତେଣୁ ଯେଉଁମାନେ କଂଗ୍ରେସ ଛାଡ଼ି ଚାଲିଯିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଦ୍ବାର ସର୍ବଦା ଖୋଲା ଅଛି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ” କଂଗ୍ରେସ ଦଳର ମୂଳଦୁଆ କେହି ଜଣେ କି ଦୁଇ ଜଣ ବ୍ୟକ୍ତି ନୁହେଁ । କଂଗ୍ରେସ ସବୁବେଳେ ବିଚାର ଧାରାକୁ ନେଇ ଚାଲିଆସିଛି ଏବଂ ଚାଲିବ । ଯଦି ଦଳରେ କେହି ବିଶୃଙ୍ଖଳା କରନ୍ତି ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ। “

ସୂଚନାଯୋଗ୍ୟ ଯେ, ତାଙ୍କର ଏଭଳି ପ୍ରତିକ୍ରିୟା ଗତ କିଛି ଦିନ ତଳେ ରାଜ୍ୟ କଂଗ୍ରେସରେ ଦେଖାଦେଇଥିବା କନ୍ଦଳ ମଧ୍ୟରେ ଆସିଛି । ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ସିଧା ସିଧା ଦଳର ନେତା ତଥା ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏପରିକି ସେ ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅଯୋଗ୍ୟ ବୋଲି କହିଥିଲେ । ନିକଟରେ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ନେଇ ଦଳର ଯେଉଁ ରଣନୀତି ବୈଠକ ହୋଇଥିଲା, ସେଥିରେ ମଧ୍ୟ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ତାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି ଯୋଗ ଦେଇନଥିଲେ।

ଅନ୍ୟପକ୍ଷରେ ତାରାପ୍ରସାଦ ବାହିନୀପତି ମଧ୍ୟ ଆଜି ନରମି ଯାଇଛନ୍ତି। ରାଗରେ ନିରଞ୍ଜନ ପଟ୍ଟନାୟକଙ୍କ ବିଷୟରେ ଏଣୁତେଣୁ କହି ଦେଇଥିବା କହିବା ସହ ସେ ତାଙ୍କର ବଡ଼ ଭାଇ ବୋଲି କହିଛନ୍ତି ତାରା। ସେ କହିଛନ୍ତି, ଗତକାଲି ଆମର (କଂଗ୍ରେସର) ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହିତ ମୁଁ ବହୁ ସମୟ ଧରି ଟେଲିଫୋନ୍ ଯୋଗେ ଆଲୋଚନା କରିଛି। ନିରଞ୍ଜନ ବାବୁଙ୍କ ସହିତ ବି ଆଜି ସକାଳେ ଫୋନ୍‌ରେ ବହୁ ସମୟ ଧରି ଆଲୋଚନା କରିଛି। ଆମ ମଧ୍ୟରେ ଥିବା ସବୁ ସମସ୍ୟାର ସମାଧାନ ହୋଇଯାଇଛି। ସେହିଭଳି ଦଳ ଛାଡ଼ିବେ ନାହିଁ ବୋଲି ତାରା ସ୍ପଷ୍ଟ କରି ଦେଇଛନ୍ତି।

ତାରା କହିଛନ୍ତି, ‘ମୁଁ ଆଗରୁ କହିଛି, ଏବେ ବି କହୁଛି ଯେ କୌଣସି ପରିସ୍ଥିତିରେ ଦଳ ବଦଳାଇବି ନାହିଁ। କଂଗ୍ରେସ ଦଳ ଛାଡ଼ିବାର ନାହିଁ। କଂଗ୍ରେସ ଦଳ ଏବେ ବ୍ୟାକ୍ ଫୁଟରେ ଅଛି। କରୋପୁଟ ଜିଲ୍ଲାରେ ଦଳକୁ ଦୃଢ଼ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଯେଉଁମାନେ ପରିସ୍ଥିତିରେ ପଡ଼ି ବିଜେଡି କିମ୍ବା ବିଜେପିକୁ ଚାଲି ଯାଇଛନ୍ତି, ସେମାନଙ୍କୁ ଫେରାଇ ଆଣିବା ଦାୟିତ୍ୱ ମଧ୍ୟ ମୋର। ମୁଁ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବି।’

Related Posts