ରାଜ୍ୟରେ ବଢୁଛି ଅପରାଧିକ ମାମଲା : ଅପରାଧୀଙ୍କୁ ଧରିବ କିଏ ? ଫାଙ୍କା ପଡିଛି ୧୧୪୫୬ ପୋଲିସ ପଦବୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ଗୃହକାର୍ଯ୍ୟ ସ୍ବାଭାବିକ ଚାଲିଛି । ତେବେ ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗୃହରେ ସରଗରମ ଆଲୋଚନା ହୋଇଛି। ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢିବାରେ ଲାଗିଛି କିନ୍ତୁ ମାମଲାର ତଦନ୍ତ କରିବ କିଏ ? କାରଣ ଫାଙ୍କା ପଡିଛି ଫାଙ୍କା ପଡିଛି ହଜାର ହଜାର ପୋଲିସ ପଦବୀ । ୨୦୧୯-୨୦ ବର୍ଷରେ କେତେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି ତାର ହିସାବ ଦେଇଛନ୍ତି ରାଜ୍ୟ ସରକାର । 

ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଉତ୍ତର ରଖିଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ, ୨୦୧୯ରେ ୧ ଲକ୍ଷ ୨୧ ହଜାର ୫୨୫ ହଜାର ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୪୩ ମାମଲା ପଞ୍ଜିକୃତ ହୋଇଛି ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜ୍ୟରେ ଅପରାଧିକ ମାମଲା ବଢୁଥିବା ବେଳେ ଏହାର ତଦନ୍ତ କରିବା ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପୋଲିସ ନାହାନ୍ତି। ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନରେ ଗୃହରେ ଏନେଇ ବିବୃତ୍ତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । 

ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ତାଙ୍କ ଉତ୍ତରରେ କହିଛନ୍ତି, ରାଜ୍ୟରେ ଅଗଷ୍ଟ ୧ ସୁଦ୍ଧା ୧୧ ହଜାର ୪୫୬ଟି ପୁଲିସ ପଦବୀ ଖାଲି ପଡିଛି । ୧୩ଟି ଡିଆଇଜି ପଦବୀ, ୧୫ଟି ଏସପି ପଦବୀ, ୨୪୮ଟି ଇନସ୍ପେକ୍ଟର ପଦବୀ ଖାଲି ରହିଛି 

ଅନ୍ୟପକ୍ଷରେ ଆଜି ପ୍ରଶ୍ନକାଳରେ ମଧ୍ୟ ରାଜ୍ୟରେ ନୂଆ ପୋଲିସ ଷ୍ଟେସନ ଓ ଥାନା ଖୋଲିବା ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ୬୦ ଜଣ ବିଧାୟକ ପ୍ରସ୍ତାବ ଦେଇଥିଲେ ଯେ , ୬୮ଟି ନୂଆ ଥାନା, ୧୦୩ ଟି ଫାଣ୍ଡି ଓ ୩ ଥାନାର ନବୀକରଣ କରାଯାଉ । ବାଚସ୍ପତିଙ୍କ ରୁଲିଂ ଏବଂ ବିଧାୟକ ମାନଙ୍କ ପ୍ରସ୍ତାଵ ପରେ ବି ଏହା କାର୍ଯ୍ୟକାରୀ ହେଉ ନଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Related Posts