କଟକ(ସତ୍ୟପାଠ ବ୍ୟୁରୋ): କଟକ ମହାନଗର ନିଗମ ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ତେବେ ପ୍ରାଥମିକ ଭୋଟର ତାଲିକାଠାରୁ ଚୂଡ଼ାନ୍ତ ତାଲିକାରେ ଭୋଟର ସଂଖ୍ୟା ୫୧୭୪କୁ ବୃଦ୍ଧି ପାଇଛି । ସହରରେ ମୋଟେ ୪ ଲକ୍ଷ ୫୦ ହଜାର ୭୫୯ ଭୋଟର ରହିଛନ୍ତି ବୋଲି ଚୂଡ଼ାନ୍ତ ତାଲିକାରେ ଦର୍ଶାଯାଇଛି । ସେଥିମଧ୍ୟରୁ ୨ ଲକ୍ଷ ୩୧ ହଜାର ୩୦ ଜଣ ପୁରୁଷ, ୨ ଲକ୍ଷ ୧୯ ହଜାର ୫୯୮ ଜଣ ମହିଳା ଏବଂ ୧୩୧ ଜଣ କିନ୍ନର ରହିଛନ୍ତି । ୪୮ ନମ୍ବର ୱାର୍ଡରେ ସର୍ବାଧିକ ୮୬୯୧ ଭୋଟର ରହିଥିବାବେଳେ ୫୯ ନମ୍ବର ୱାର୍ଡରେ ସର୍ବନିମ୍ନ ୪୬୯୦ ଜଣ ଭୋଟର ରହିଛନ୍ତି । ଗତ ୯ ତାରିଖରେ ପ୍ରକାଶିତ ପ୍ରାଥମିକ ଭୋଟର ତାଲିକାରେ ଭୋଟର ସଂଖ୍ୟା ୪ ଲକ୍ଷ ୪୫ ହଜାର ୫୮୫ ରହିଥିଲା । ଏହା ପରେ ଭୋଟର ତାଲିକାରେ ତ୍ରୁଟି ଥିବା ନେଇ ଅନେକ ଅଭିଯୋଗ ହୋଇଥିଲା ।
ସେହି ଅଭିଯୋଗ ଭିତ୍ତିରେ ସିଏମସି ପକ୍ଷରୁ ସଂଶୋଧନ କରାଯାଇ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ତେବେ ଚୂଡ଼ାନ୍ତ ତାଲିକା ନେଇ ଆଉ କୌଣସି ସଂଶୋଧନ କରାଯାଇ ପାରିବ ନାହିଁ ବୋଲି ସିଏମସି ନିର୍ବାଚନ ଅଧିକାରୀ ଅମିୟ ପଣ୍ଡା କହିଛନ୍ତି । ଏହା ସହ ପୌରନିର୍ବାଚନ ପାଇଁ ଇଭିଏମ ଆସିଯାଇଛି । ତାହାକୁ ବୋଷ କଲେଜରେ ରଖାଯାଇଛି । ଏବଂ ଯାଞ୍ଚ ଚାଲିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇସାରିଛି । ମୋଟ ୫୯ଟି ୱାର୍ଡରୁ ୩୩ଟି ୱାର୍ଡ ସଂରକ୍ଷିତ ଥିବାବେଳେ ୨୬ଟିକୁ ଅସଂରକ୍ଷିତ ରଖାଯାଇଛି ।
