
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଲିଯାତ୍ରା ବୁଲିବାକୁ ଲୋକଙ୍କ ଅହେତୁକ ଆଗ୍ରହ, ଉତ୍ସାହକୁ ଦୃଷ୍ଟିରେ ରଖି ଯାତ୍ରାର ଅବଧିକୁ ଆଉ ଦୁଇ ଦିନ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି କଟକ ମହାନଗର ନିଗମ (ସିଏମ୍ସି) । ଏନେଇ ସୋମବାର ସିଏମ୍ସିର ସ୍ୱତନ୍ତ୍ର ବରାଦି ବୈଠକରେ ଆଲୋଚନା ପରେ ନିଗମ ପକ୍ଷରୁ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦେଇ ଚିଠି ଲେଖାଯାଇଛି ।
ଫଳରେ ବାଲିଯାତ୍ରା ଆଉ ଦୁଇଦିନ ବଢ଼ିବା ନେଇ ଆଶା ସଂଚାର ହୋଇଛି । ଯଦି ବାଲିଯାତ୍ରାର ଅବଧି ଦୁଇ ଦିନ ବୃଦ୍ଧି ହୁଏ, ବୁଧବାର ବଦଳରେ ଶୁକ୍ରବାର ଯାଏ ମେଳା ଜମିବ। ଏନେଇ ପ୍ରାଥମିକ ଆଲୋଚନା ସାରିଛି ବୋଲି ସିଏମ୍ସିର ମେୟର୍ ସୁବାସ ସିଂହ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ କଟକରେ ଆରମ୍ଭ ହୋଇଥିଲା ରାଜ୍ୟସ୍ତରୀୟ ବାଲିଯାତ୍ରା ମହୋତ୍ସବ । ଦୁଇ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଏବଂ ଏଥର ବାଲିଯାତ୍ରାର ନବକଳେବର କରାଯାଇଥିବାରୁ ଲୋକଙ୍କ ଭିତରେ ଉତ୍ସାହ ବୃଦ୍ଧି ପାଇଥିଲା । ଆରମ୍ଭ ଦିନରୁ ଲୋକଙ୍କ ସଂଖ୍ୟା ବଢ଼ିଚାଲିଥିଲା । ଗତକାଲି ରବିବାର ବାଲିଯାତ୍ରାରେ ସର୍ବକାଳୀନ ରେକର୍ଡ ସଂଖ୍ୟକ ଦର୍ଶକଙ୍କ ପାଦ ପଡ଼ିଥିଲା । ୧୫ ଲକ୍ଷରୁ ଅଧିକ ଲୋକ ମେଳା ବୁଲିଥିଲେ । ଏମିତିକି ଆଜି ସୋମବାରରେ ମଧ୍ୟ ପ୍ରାୟ ୫ଲକ୍ଷ ଲୋକେ ବାଲିଯାତ୍ରା ବୁଲିଛନ୍ତି । ଏ ଭିତରେ ବାଲିଯାତ୍ରା ଆଉ ଦୁଇ ଦିନ ବୃଦ୍ଧି ହେବା ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର୍ ଧରିଥିଲା । ଯଦିଓ ଚର୍ଚ୍ଚା ସମ୍ପର୍କରେ ମହୋତ୍ସବର ମୁଖ୍ୟ ଆୟୋଜକ କଟକ ଜିଲ୍ଲା ପ୍ରଶାସନ ବିଶେଷ ଆଗ୍ରହ ପ୍ରକାଶ କରିନଥିଲା ।
କିନ୍ତୁ ସୋମବାର ସିଏମ୍ସି କୋର୍ କମିଟିର ବୈଠକ ବାଲିଯାତ୍ରା ପଡ଼ିଆ ଭିତରେ ଖୋଲାଯାଇଥିବା ସ୍ୱତନ୍ତ୍ର ‘କଟକ ଇନ୍ କଟକ’ ଗ୍ୟାଲେରୀରେ ବସିଥିଲା । ଯେଉଁଥିରେ ମେୟର୍ ସୁବାସ ସିଂହ, ଡେପୁଟି ମେୟର୍ ଦମୟନ୍ତୀ ମାଝୀ, କମିସନର୍ ନିଖିଲ୍ ପବନ୍ କଲ୍ୟାଣ୍, ସମସ୍ତ କର୍ପୋରେଟର୍, ବିଭିନ୍ନ କମିଟି ସଦସ୍ୟ, ନିଗମର ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରସଂଗ ଆଲୋଚନା ପରେ ବାଲିଯାତ୍ରାକୁ ଦୁଇ ଦିନ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବାକୁ ବୈଠକରେ ସ୍ଥିର ହୋଇଥିଲା । ସମସ୍ତେ ଏକମତ ହୋଇଥିଲେ ଯେ ଏଥର ୭ ଦିନ ବିନା ଧୂଳି ବାଲିରେ ବେଶ ଶାନ୍ତିଶୃଙ୍ଖଳାରେ ବାଲିଯାତ୍ରା ଚାଲିଛି, ଲୋକଙ୍କୁ ଏହା ବେଶ ଆକର୍ଷିତ କରୁଛି । ଏଣୁ ୨ ଦିନ ମେଳାର ଅବଧି ବଢ଼ାଗଲେ ସମସ୍ତେ ଖୁସି ହେବେ । ଏହାଛଡ଼ା ବ୍ୟବସାୟୀଙ୍କୁ ଆଉ କିଛି ଘଣ୍ଟା ହାତଖୋଲା ବ୍ୟବସାୟ କରିବାକୁ ସୁଯୋଗ ବି ମିଳିପାରିବ । ସ୍ୱୟଂସହାୟକ ଗୋଷ୍ଠୀ, ମହିଳା ଓ ଛୋଟ ବ୍ୟବସାୟୀ ଦି’ ପଇସା ଅଧିକ ଲାଭ ଉଠାଇ ପାରିବେ ।
ଚଳିତବର୍ଷ ପ୍ଲଟ୍ ଦରବୃଦ୍ଧିକୁ ନେଇ ରହିଥିବା ବ୍ୟବସାୟୀଙ୍କ ଅସନ୍ତୋଷର ସମାଧାନ ବାଟ ବାହାରି ପାରିବ । ଅନ୍ୟପକ୍ଷରେ ବାଲିଯାତ୍ରା ଆରମ୍ଭ ଦିନରୁ ଟ୍ରାଫିକ୍ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ରହିଛି । ତେଣୁ ଯଦି ବାଲିଯାତ୍ରା ଦୁଇଦିନ ବୃଦ୍ଧି ହୁଏ ତେବେ ସେ କ୍ଷେତ୍ରରେ ଟ୍ରାଫିକ୍ ବ୍ୟବସ୍ଥା ପରିଚାଳନା କେମିତି ରହିବ ତାହା ଉପରେ ପୁଲିସ୍ କମିସନରଙ୍କ ସହିତ ଆଲୋଚନା କରାଯିବ । ଏ ଦିଗରେ ପ୍ରାଥମିକ ଆଲୋଚନା ହୋଇଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି । ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପାଳନ ହେଉଥିବା ବାଲିଯାତ୍ରାର ଅବଧି ବୃଦ୍ଧି ହେବ କି ନାହିଁ ତାହା ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ବିଶେଷତଃ କମିସନରେଟ୍ ପୁଲିସର ଏ ସଂପର୍କରେ କ’ଣ ନିଷ୍ପତ୍ତି ରହିବ ତାହା ଉପରେ ଅନେକ କିଛି ନିର୍ଭର କରୁଛି ।