ପରଲୋକରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ଵର,୨/୩(ସତ୍ୟପାଠ ବ୍ୟୁରୋ): ପରଲୋକରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ। ବୁଧବାର ରାତି ୧୧ଟା ୨୫ ମିନିଟ୍‌ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ପିଣ୍ଟୁଙ୍କ ପରଲୋକକୁ ନେଇ ଅଭିନେତା ଶ୍ରୀତମ ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା।

ଲିଭର୍ ସିରୋସିସ୍‌ରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁ ଚିକିତ୍ସିତ ହେଉଥିଲେ। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେଣୁ ସେ ଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ତାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା। ହେଲେ ସେଠାରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଦୁଃଖର କଥା, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’, ‘କଥା ଦେଲି ମଥା ଛୁଇଁ’, ‘ଲଭ୍ ମାଷ୍ଟର’, ‘ଦୋସ୍ତି’, ‘ପ୍ରେମ ଋତୁ ଆସିଲା ‌ରେ’, ‘ହାତ ଧରି ଚାଲୁଥା’, ‘ରଙ୍ଗ ନମ୍ବର’ ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଆଦି ଓଡ଼ିଆ ସିନେମାରେ ପିଣ୍ଟୁ ନନ୍ଦ ତାଙ୍କ ବଳିଷ୍ଠ ଅଭିନୟ ପାଇଁ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଥିଲେ। ସେହିପରି ଆଲବମ ଦୁନିଆକୁ ମଧ୍ୟ ସେ ଅନେକ ହିଟ୍ ଗୀତ ଦେଇଛନ୍ତି। ତାଙ୍କର ଅଭିନୀତ ଓଡ଼ିଆ ଆଲବମ୍ ‘ଏ ଗଉରା’ ତାଙ୍କୁ ସର୍ବାଧିକ ଲୋକପ୍ରିୟ କରିଥିଲା।

Related Posts