ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୬ ଜୁନରେ ଦିଲ୍ଲୀ ଏୟାରପୋର୍ଟ ନୁହଁ ଯନ୍ତର-ମନ୍ତର ଆସନ୍ତୁ। ତେବେ ମିଳୁଥିବା ଜନସମର୍ଥନ ତାଙ୍କ ଆଶାଠାରୁ ବହୁତ ଅଧିକ, କିନ୍ତୁ ଏୟାରପୋର୍ଟରେ ପ୍ରବଳ ଭିଡ଼ ହେବା ଦାରା ସାଧାରଣ ଜନତା ଏବଂ ସୁରକ୍ଷା ବାହିନୀକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ ବୋଲି ସେ କକ୍ରୋଚ ଜନତା ପାର୍ଟି ପ୍ରତିଷ୍ଠାତା ଅଭିଜିତ ଦିପ୍କେ କହିଛନ୍ତି । ଏହା ସହ ଏକ ଭିଡିଓ ବାର୍ତ୍ତାରେ ଦିପକେ କହିଛନ୍ତି ଯେ ଆମେ ଯଦି ଆଇନ ମାନୁଥିବା ଦାୟିତ୍ୱବାନ ନାଗରିକ, ତେବେ ଆମକୁ ଦାୟିତ୍ୱର ସହ କାମ କରିବା ଉଚିତ। ଦୟାକରି ମନେ ରଖନ୍ତୁ ଯେପରି କୌଣସି ପ୍ରକାରର ଅଶାନ୍ତି କିମ୍ୱା ବିଶୃଙ୍ଖଳା ସୃଷ୍ଟି ନ ହୁଏ।
ସୂଚନାଯୋଗ୍ୟ ଯେ, ଅଭିଜିତ ପୂର୍ୱରୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜ ସମର୍ଥକମାନଙ୍କୁ ୬ ଜୁନରେ ଏୟାରପୋର୍ଟ ଆସି ଦେଖା କରିବାକୁ ଅପିଲ କରିଥିଲେ, କିନ୍ତୁ ଅଶାନ୍ତି ଏବଂ ବିଶୃଙ୍ଖଳା ହେବାର ଆଶଙ୍କା ଥିବାରୁ ସେ ଏହି ଅପିଲ୍କୁ ପ୍ରତ୍ୟାହାର କରି ନେଇଛନ୍ତି। ଅଭିଜିତ ଦିପକେ ପାର୍ଟିର ୩ ଜଣ ଆଧିକାରିକ ପ୍ରବକ୍ତାଙ୍କ ନାମ ଘୋଷଣା କରିଛନ୍ତି। ସୌରଭ ଦାସ, ବିଜେତା ଦାହିୟା ଏବଂ ଆଶୁତୋଷ ରାଙ୍କାଙ୍କୁ ଆଧିକାରିକ ପ୍ରବକ୍ତା ଭାବେ ନିଯୁକ୍ତ କରାଯାଇଛି। ସେମାନେ ଗତକାଲି ଦିଲ୍ଲୀରେ ପାର୍ଟିର ପ୍ରଥମ ପ୍ରେସ କନଫରେନ୍ସ କରିଥିଲେ ଏବଂ ପାର୍ଟିର ଦାବିଗୁଡ଼ିକୁ ଜନସାଧାରଣଙ୍କ ସାମ୍ନାରେ ରଖିଥିଲେ।
ଏହି ତିନିଜଣ ଗଣମାଧ୍ୟମ ଜରିଆରେ ଦେଶସାରା ପାର୍ଟିର ସମର୍ଥକ ଏବଂ ଛାତ୍ରମାନଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ଅପିଲ କରିଛନ୍ତି। କକ୍ରୋଚ ଜନତା ପାର୍ଟିର ଆସନ୍ତାକାଲି (୬ ଜୁନ) ଦିଲ୍ଲୀର ଯନ୍ତର-ମନ୍ତରଠାରେ ହେବାକୁ ଥିବା ପ୍ରଦର୍ଶନରେ ସୋନମ ୱାଙ୍ଗଚୁକ ମଧ୍ୟ ସାମିଲ ହୋଇପାରନ୍ତି। ଅନ୍ୟପଟେ ପାର୍ଟି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ଦୋହରାଇଛି। ସିଜେପି (CJP) ପ୍ରବକ୍ତା ସୌରଭ ଦାସ ସିବିଏସଇ (CBSE) ଚେୟାରମ୍ୟାନ ରାହୁଲ ସିଂ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କ ବଦଳିକୁ ଏକ ଦେଖାଣହାରି ବୋଲି କହିଛନ୍ତି ଏବଂ ଶିକ୍ଷା ବ୍ୟବସ୍ଥାରେ ଜବାବଦେହିତା ସ୍ଥିର ହେବା ଉଚିତ, କେବଳ ବଦଳି ଦାରା ଏହାର ସମାଧାନ ହେବନାହିଁ ବୋଲି ପ୍ରକାଶ କରିଛନ୍ତି ।
