ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲଙ୍କୁ ସୋସିଆଲ ମିଡ଼ିଆରେ ଦୁଷ୍କର୍ମ ଧମକ ମିଳିଛି । ଦୁଇଟି ଭିନ୍ନ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ମାଲିୱାଲଙ୍କୁ ଧମକ ଦିଆଯାଇଛି। ଦୁଇ ଜଣ ୟୁଜର୍ ମାଲିଓ୍ବାଲଙ୍କ ପ୍ରତି ଅଶ୍ଳୀଳ ଶବ୍ଦ ବ୍ୟବହାର କରି ଦୁଷ୍କର୍ମ ଧମକ ଦେଇଛନ୍ତି । ଏନେଇ ସ୍ବାତି ମାଲିଓ୍ବାଲ୍ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଏବଂ ଏହି ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି।

ଏନେଇ ସ୍ବାତୀ ମାଲିୱାଲ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଉଭୟ ଧମକପୂର୍ଣ୍ଣ ବାର୍ତ୍ତାର ସ୍କ୍ରିନସଟ୍ ସହ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଯେବେଠାରୁ ମୁଁ ବିଗ୍ ବସ୍ ରୁ ସାଜିଦ୍ ଖାନଙ୍କୁ ବାହାର କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ଲେଖିଛି, ମୋତେ ଇନଷ୍ଟାଗ୍ରାମରେ ଦୁଷ୍କର୍ମ ଧମକ ଦିଆଯାଉଛି। ସେମାନେ ଆମର କାମ ବନ୍ଦ କରିବାକୁ ଚାହୁଁଛନ୍ତି | ଏନେଇ ମୁଁ ଦିଲ୍ଲୀ ପୋଲିସକୁ ଅଭିଯୋଗ ଦେଉଛି। ଏଫ୍ଆଇଆର୍ ରୁଜୁ ସହ ଏହି ଘଟଣାର ତଦନ୍ତ କରାଯାଉ | ଯେଉଁମାନେ ଏହା ପଛରେ ଅଛନ୍ତି ସେମାନଙ୍କୁ ଗିରଫ କରାଯାଉ ।’

ସୂଚନାଯୋଗ୍ୟ ଯେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଦିନକ ପୂର୍ବରୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖି ରିଅଲିଟି ସୋ ‘ବିଗ୍ ବସ୍’ରୁ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସାଜିଦ ଖାନଙ୍କୁ ହଟାଇବାକୁ ଦାବି କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ୨୦୧୮ରେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଅନେକ ମହିଳା ସାଜିଦ ଖାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହି କାରଣରୁ ‘ବିଗ୍ ବସ୍’ରେ ତାଙ୍କ ଉପସ୍ଥିତିକୁ ବିରୋଧ କରି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ପତ୍ର ଲେଖିଥିଲେ।